ରାଜପଥ ନୁହେଁ ମରଣଯନ୍ତା ! ବିଲ ହୁଡା ଠୁ ବି ସାଂଘାତିକ ସ୍ଥିତିରେ ଜାତୀୟ ରାଜପଥ

31

କନକ ବ୍ୟୁରୋ : ରାଜପଥର ଅବସ୍ଥା ସାଂଘାତିକ । ରାସ୍ତାର ଅବସ୍ଥା ବିଲ ହୁଡାକୁ ବି ଦୟନୀୟ । ଏପରି ସ୍ଥିତି ଦେଖିବା ପାଇଁ ମିିଳିଛି ଦୁଇ ଖଣି ଜିଲ୍ଲାକୁ ସଂଯୋଗ କରୁଥିବା ୨୧୫ ଓ ୫୨୦ ନମ୍ବର ଜାତୀୟ ରାଜପଥର । ସୁନ୍ଦରଗଡ ଓ କେନ୍ଦୁଝରକୁ ଯୋଡୁ ଥିବା ଜାତୀୟ ରାଜପଥରେ ପ୍ରତିଦିନ ଶହଶହ ଖଣିଜ ବୋଝେଇ ଡମ୍ଫର, ଟ୍ରକ ସହ ବହୁ ଯାତ୍ରୀବାହୀ ଯାନବାହାନ ଯା’ଆସ କରୁଛି । ଅତି ବିପଦସଙ୍କୁଳ ଅବସ୍ଥାରେ ଅଟୋରେ ବସି, ମରଣଯନ୍ତା ପାଲିଟିଥିବା ଜାତୀୟ ରାଜପଥରେ ଯା’ଆସ କରୁଛନ୍ତି ଲୋକେ । ଜାତୀୟ ରାଜପଥର ମରାମତି ଓ ନିର୍ମାଣ ଦାବିରେ ରାସ୍ତାକୁ ଓହ୍ଲାଇଛି ସିପିଆଇଏମ ।

ସୁନ୍ଦରଗଡ ଜିଲ୍ଲାର ଖଣି ଅଂଚଳରେ ଅର୍ଥନୈତିକ ଅବରୋଧ କରିଛି ସିପିଆଇଏମ ଓ ସିଟୁ ଶ୍ରମିକ ସଂଗଠନ । ଫଳରେ ରକ୍ସି, ବରସୁଆଁ, କୋଇଡା, ବିମଳାଗଡ ଆଦି ରେଲୱେ ସାଇଡିଂ ସମେତ ବିଭିନ୍ନ ଖଣିରୁ ପରିବହନ ବାଧାପ୍ରାପ୍ତ ହୋଇଛି । ୨୧୫, ୫୨୦ ଓ ୪୧୦ ନମ୍ବର ଜାତୀୟ ରାଜପଥର ମରାମତି ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

ସିପିଆଇଏମ ଓ ସିଟୁ ଶ୍ରମିକ ସଂଗଠନର ଆନ୍ଦୋଳନ ପରେ ଚିହିଁକି ଉଠିଛି ସରକାରୀ କଳ । ଆନ୍ଦୋଳନକୁ ନଜରରେ ରଖି ଏନଏଚଏଆଇ କର୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିଜେଡି ବିଧାୟକ ସୁବ୍ରତ ତରାଇ । ବୈଠକରେ ବିପର୍ଯ୍ୟସ୍ଥ ଜାତୀୟ ରାଜପଥ ବାବଦରେ ସମସ୍ତ ତଥ୍ୟ ଉପସ୍ଥାପନ କରିଛି ଏନଏଚଏଆଇ । ଯେଉଁଥିରେ ଦର୍ଶା ଯାଇଛି, ଆସନ୍ତା ୪ମାସ ଭିତରେ ୧ ହଜାର କୋଟି ବିନିମୟରେ କେନ୍ଦୁଝର ରେମୁଳିରୁ ସୁନ୍ଦରଗଡ ରାଜମୁଣ୍ଡା ଯାଏଁ ୬ ଲେନ୍ ବିଶିଷ୍ଟ ଜାତୀୟ ରାଜପଥ ନିର୍ମାଣ କରାଯିବ । ଏଠି ପ୍ରଶ୍ନ ଉଠୁଛି ରାଜ୍ୟକୁ ସର୍ବାଧିକ ରାଜସ୍ୱ ଦେଉଥିବା ଖଣି ଅଂଚଳରେ ବିପର୍ଯ୍ୟସ୍ତ ଜାତୀୟ ରାଜପଥର ମରାମତି ପାଇଁ ପ୍ରଶାସନ ବର୍ଷ ବର୍ଷ ଧରି ଉଦ୍ୟମ କରୁନଥିଲା କାହିଁକି ।