ପ୍ରବଳ ବର୍ଷା ଯୋଗୁଁ ସମ୍ବଲପୁର ସହର ସମେତ ଗ୍ରାମାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି : ଭାଙ୍ଗିଲା ଶହ ଶହ ଘର, ବହୁ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ

322

କନକ ବ୍ୟୁରୋ : ପ୍ରବଳ ବର୍ଷା ଯୋଗୁଁ ସମ୍ବଲପୁର ସହର ସମେତ ଗ୍ରାମାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ‌ହୋଇଛି । ବହୁ ସଂଖ୍ୟାରେ ଘର ଭାଙ୍ଗିଛି । ଗ୍ରାମାଞ୍ଚଳର ବହୁ ରାସ୍ତାରେ ବିରାଟ ଘାଇ ସୃଷ୍ଟି ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଅନେକ ଅଞ୍ଚଳରେ ଚାଷ ଜମି ବାଲିଚର ହୋଇଛି । କେବଳ ସମ୍ବଲପୁର ସହରାଞ୍ଚଳରେ ସମୁଦାୟ ୧୧୫ ଘର ଭାଙ୍ଗି ଯାଇଛି । ଏଥିମଧ୍ୟରେ ଏସଏମସି ଅନ୍ତର୍ଗତ ୧୨ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାବେଳେ ୯୦ ଘର ଆଂଶିକ ଭାଙ୍ଗିଛି। ଧନକଉଡ଼ା ବ୍ଲକର ୧୨ ଘର ସମ୍ପୂର୍ଣ୍ଣ ଭାଙ୍ଗିଛି । ବାଗବିରା-ଘଣ୍ଟେଶ୍ବରୀ ରାସ୍ତା, ହୁମା-କରଞ୍ଜୋଳା ପୂର୍ତ୍ତ ବିଭାଗ ରାସ୍ତାରେ ବିରାଟ ଘାଇ ସୃଷ୍ଟି ହୋଇଥିବାରୁ ସେହି ସ୍ଥାନ ଦେଇ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ପଡ଼ିଛି ।

ସହରର ପ୍ରଧାନପଡ଼ାରେ ବର୍ଷା ବନ୍ଦ ହେବା ପରେ ମଧ୍ୟ ପାଣି ଜମି ରହିବା ଯୋଗୁଁ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି । ଜିଲ୍ଲାର ଜମନକିରା, ନାକ୍ଟିଦେଉଲ, କୁଚିଣ୍ଡା ଓ ମାନେଶ୍ବର ବ୍ଲକ ଅଞ୍ଚଳରେ ରାସ୍ତା ପ୍ରଭାବିତ ହୋଇଛି । ସୋମବାର ସୁଦ୍ଧା ଏହାର ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ଜରୁରୀକାଳୀନ ବିଭାଗ ପକ୍ଷରୁ କୁହାଯାଇଛି । ବିସ୍ତୃତ ରିପୋର୍ଟ ପ୍ରଦାନ ପାଇଁ ସମସ୍ତ ତହସିଲଦାରଙ୍କୁ ନିର୍ଦେଶ ହୋଇଛି ।

ଲଗାଣ ବର୍ଷାରେ ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଡକରା ପଞ୍ଚାୟତର ସୁବନପୁର-ଆମକୁନି ରାସ୍ତାରେ କଲଭର୍ଟ ଭାଙ୍ଗି ୧୦ ଫୁଟର ଘାଇ ସୃଷ୍ଟି ହୋଇଛି । ସେହିପରି ବଦୁଆପାଲି ପଞ୍ଚାୟତର ଯୋଗୀପାଲି କେନାଲ କଡ଼ରେ ମାଟି ଦବି ପ୍ରାୟ ୨୦ ଫୁଟର ଘାଇ ହୋଇଛି । ସମ୍ବଲପୁର-ସୋନପୁର ୧୫ ନଂ ରାଜ୍ୟ ରାଜପଥର ବରଗାଁ ଛକ ନିକଟରେ ପିଚୁ ରାସ୍ତା ଦବି ଯାଇଛି ।