ଇଡି କାର୍ଯ୍ୟାଳୟରେ ହାଜର ହେଲେ ରିଆ । ଆଜି ପୁଣି ପଚରା ଉଚରା । ଭାଇ ସୌଭିକ୍, ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତି ଓ ସୁଶାନ୍ତଙ୍କ ବିଜିନେସ୍ ମ୍ୟାନେଜରଙ୍କୁ ବି ଆସିଛି ଡାକରା । ବେଆଇନ ଅର୍ଥନୈତିକ କାରବାର ସମ୍ପର୍କରେ ହେବ ଖୋଳତାଡ

199

କନକ ବ୍ୟୁରୋ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତି । ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଓ ଅର୍ଥନୈତିକ ଅପରାଧ ମାମଲାରେ ପୁଣି ତାଙ୍କୁ ପଚରା ଉଚରା କରିବ ଇଡି । ଗତ ୭ ତାରିଖରେ ଇଡି ଅଧିକାରୀ ରିୟାଙ୍କୁ ୮ ଘଂଟା ଜେରା କରିଥିଲା । ତେବେ ରିୟାଙ୍କ ଜବାବରେ ଇଡି ସନ୍ତୁଷ୍ଟ ହୋଇନଥିବାରୁ ଆଜି ପୁଣି ପଚରା ଉଚରା ପାଇଁ ଡକାଯାଇଛି । ଆଜି ରିୟାଙ୍କୁ ଗତ ଦୁଇ ବର୍ଷର ନିବେଶ ଉପରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଅଧିକାରୀ ପ୍ରଶ୍ନ କରିପାରନ୍ତି । ଇଡି ସନ୍ଦେହ କରୁଛି କିଛି ଏମିତି ପୁଞ୍ଜି ନିବେଶ ରହିଛି, ଯାହା ବାବଦରେ ମୁହଁ ଖୋଲୁ ନାହାନ୍ତି ରିୟା । ଏହାଛଡା ସୁଶାନ୍ତଙ୍କ ଆକାଉଂଟରୁ ରିୟାକୁ ଟ୍ରାନସଫର ହୋଇଥିବା ଟଙ୍କାର ଖର୍ଚ୍ଚ ହିସାବ ମାଗାଯାଇପାରେ ।

ସେହିପରି ସୁଶାନ୍ତଙ୍କ ଗତ ଦୁଇ ବର୍ଷରେ କେଉଁସବୁ ସଂସ୍ଥାର ପୁଞ୍ଜି ନିବେଶ କରିଥିଲେ ସେନେଇ ମଧ୍ୟ ରିଆଙ୍କୁ ପ୍ରଶ୍ନ କରାଯିବ । ସୁଶାନ୍ତଙ୍କ ଇନଭେଷ୍ଟମେଂଟରେ ରିୟା କିମ୍ବା ତାଙ୍କ ପରିବାର ସଦସ୍ୟ ନୋମିନି ଥିଲେ ନା ନାହିଁ ତାହା ରିୟାଙ୍କ ଠାରୁ ଜାଣିବାକୁ ଉଦ୍ୟମ କରିବେ ଇଡି ଅଧିକାରୀ । ରିୟା ସମେତ ଭାଇ ସୌଭିକ ଚକ୍ରବର୍ତି, ପିତା ଇନ୍ଦ୍ରଜିତ୍ ଚକ୍ରବର୍ତି ଓ ସୁଶାନ୍ତଙ୍କ ବିଜନେସ୍ ମ୍ୟାନେଜର ଶ୍ରୁତି ମୋଦିଙ୍କୁ ମଧ୍ୟ ପଚରାଉଚରା କରାଯିବ । ସୌଭିକଙ୍କୁ ଶନିବାର ପ୍ରାୟ ୧୮ଘଂଟା ଧରି ଜେରା କରାଯାଇଥିଲା ।

ସୌଭିକଙ୍କୁ ଶନିବାର ଦିନ ଓ ରାତି ସାରା ପଚରାଉଚରା କରିଥିଲେ ଇଡିର ବରିଷ୍ଠ ଅଧିକାରୀ । ଅଧିକାରୀଙ୍କ ସୂଚନା ଅନୁସାରେ ରିଆଙ୍କ ଆୟ, ନିବେଶ , ଅର୍ଥନୈତିକ କାରବାର ନେଇ ପଚରାଉଚରା କରାଯାଉଛି । ବିଶେଷ କରି ମୁମ୍ବାଇର ଖାର ଅଂଚଳ ଓ ନଭିମୁମ୍ବାଇରେ ରିଆଙ୍କର ଥିବା ସମ୍ପତି ଉପରେ ଇଡିର ନଜର ରହିଛି । ସୁଶାନ୍ତଙ୍କ ଆକାଉଂଟରୁ ରିଆଙ୍କ ଖାତାକୁ ୧୫ କୋଟି ଟଙ୍କା ଟ୍ରାନ୍ସଫର ହୋଇଥିବା ସୁଶାନ୍ତଙ୍କ ପିତା ଅଭିଯୋଗ କରିବା ପରେ ମାମଲା ରୁଜୁ କରି ତଦନ୍ତ କରୁଛି ଇଡି ।