ମନ୍ତ୍ରୀ ଦେବେ ନିଜ ବିଭାଗର ରିପୋର୍ଟ କାର୍ଡ ! ମନ୍ତ୍ରୀଙ୍କ ଦକ୍ଷତା ମାପିବେ ମୁଖ୍ୟମନ୍ତ୍ରୀ

37

କନକ ବ୍ୟୁରୋ : ମନ୍ତ୍ରୀଙ୍କ ଦକ୍ଷତା ମାପିବେ ମୁଖ୍ୟମନ୍ତ୍ରୀ । ମନ୍ତ୍ରୀଙ୍କ ଠାରୁ ହିସାବ ନେବେ, କେଉଁ ବିଭାଗ କେତେ ସଫଳତା ପାଇଛି । ମନ୍ତ୍ରୀ ଦେବେ ନିଜ ବିଭାଗର ରିପୋର୍ଟ କାର୍ଡ । କେତେ କାମ ହୋଇଛି ଆଉ କେତେ କାମ ବାକି ରହିଛି । ଆସନ୍ତା ମେ’ ୨୧ରେ ନବୀନ ସରକାରଙ୍କ ଚତୁର୍ଥ ପାଳିର ଚାରି ବର୍ଷ ପୂରଣ ହେବାକୁ ଯାଉଛି । ୨୦୧୯ରେ ନିର୍ବାଚନ ଥିବାରୁ ଏହି ସଫଳତା ଆଧାରରେ ସାଧାରଣ ନିର୍ବାଚନକୁ ସାମନା କରିବ ବିଜେଡି ।

NABIN PATTANAIK

ଏକ ଚିଠିରେ, ସବୁ ବିଭାଗର ମନ୍ତ୍ରୀଙ୍କୁ ହିସାବ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୮ ତାରିଖରୁ ସବୁ ମନ୍ତ୍ରୀଙ୍କ ଦକ୍ଷତା ପରଖିବା ସହ ୱାନ ଟୁ ୱାନ କ୍ଲାସ ନେବେ ନବୀନ । ବିଭାଗ କେତେ ସଫଳତା ପାଇଛି, ଆଉ କେତେ କାମ ବାକି ରହିଛି ସେ ନେଇ ନବୀନଙ୍କୁ ଅବଗତ କରାଇବେ ମନ୍ତ୍ରୀ । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଆଗରେ ବଖାଣିବେ ନିଜ ବିଭାଗର ୩ଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ।

ଆସନ୍ତା ମେ’ ୨୧ରେ ପୂରଣ ହେବାକୁ ଯାଉଛି ନବୀନ ସରକାରଙ୍କ ଚତୁର୍ଥ ପାଳିର ୪ ବର୍ଷ । ୨୦୧୯ରେ ନିର୍ବାଚନ ଥିବାରୁ ସରକାରଙ୍କର ଏହା ହେଉଛି ଶେଷ ସମୀକ୍ଷା । ଆଉ ଏହି ସଫଳତା ଆଧାରରେ ସାଧାରଣ ନିର୍ବାଚନକୁ ସାମନା କରିବ ବିଜେଡି । ତେଣୁ କୌଣସିପ୍ରକାର ତ୍ରୁଟି ବିଚ୍ୟୁତିକୁ ବରଦାସ୍ତ କରିବେ ନାହିଁ ମୁଖ୍ୟମନ୍ତ୍ରୀ । ଅସଫଳ ମନ୍ତ୍ରୀଙ୍କୁ ତାଗିଦ କରିବା ସହ ମନ୍ତ୍ରୀ ଓ ସଚିବଙ୍କୁ ଦେଇପାରନ୍ତି ନୂଆ ଟର୍ଗେଟ୍ ।

୨୦୧୪ରେ କ୍ଷମତାକୁ ଆସିବା ପରେ ସରକାର ଦେଇଥିବା ପ୍ରତିଶ୍ରୁତି କେତେ ପୂରଣ କରାଯାଇଛି । କିଭଳି ଲୋକଙ୍କ ପାଖରେ ପହଂଚିଛି ସରକାରୀ ଯୋଜନା ତାହାର ହିସାବ ନିକାଶ କରିବେ ମୁଖ୍ୟମନ୍ତ୍ରୀ । ଆଉ ଏହାରି ଭିତରେ ନବୀନଙ୍କ ସମ୍ମୁୁଖରେ ମନ୍ତ୍ରୀ ଦେବେ ଅଗ୍ନି ପରୀକ୍ଷା ।