କନକ ବ୍ୟୁରୋ : ହିନ୍ଦୁମାନଙ୍କ ବିଶ୍ବାସର ପ୍ରତୀକ ସ୍ୱର୍ଗଦ୍ୱାରର ହେବ ନବକଳେବର । ଏଥିପାଇଁ ପୁରୁଣା ଡିପିଆର(ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ)କୁ ବଦଳାଇ ତିଆରି ଚାଲିଛି ନୂଆ ଡିପିଆର୍ । ବମ୍ବେର ଏକ ଘରୋଇ କମ୍ପାନି ଏହାର ନକ୍ସା ପ୍ରସ୍ତୁତ କରୁଛି । ଯାହା ଅନୁମୋଦନ ଅପେକ୍ଷାରେ ରହିଛି । ଆଗାମୀ ୧୦ ଦିନ ଭିତରେ ଏହି ନକ୍ସା ପ୍ରଶାସନର ହସ୍ତଗତ ହେବ । ଯଦି ଏହି ନକ୍ସା ପସନ୍ଦ ହୁଏ, ଖୁବଶୀଘ୍ର କାମ ଆରମ୍ଭ ହେବ ଓ ସ୍ବର୍ଗଦ୍ବାର ନୂଆ ରୂପ ନେବ । ନଚେତ୍ ପୁରୁଣା ଡିପିଆର୍ ଅନୁଯାୟୀ ସ୍ବର୍ଗଦ୍ବାର କାମ ଖୁବଶୀଘ୍ର ଆରମ୍ଭ ହେବ । ଏଭଳି କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି ପୁରୀ ପୌରସଂସ୍ଥା । ଫଳରେ ବହୁଦିନରୁ ସ୍ବର୍ଗଦ୍ବାର ଉନ୍ନତିକରଣକୁ ନେଇ ଲାଗି ରହିଥିବା ଦ୍ବନ୍ଦ୍ବ ଦୂର ହେବାକୁ ଯାଉଛି ।
ସ୍ୱର୍ଗଦ୍ୱାର ହିନ୍ଦୁମାନଙ୍କ ଧାର୍ମିକ ଭାବନା ସହିତ ଜଡ଼ିତ। ଏଠାରେ ଶବଦାହ କଲେ ମୃତ ବ୍ୟକ୍ତିଙ୍କୁ ସ୍ୱର୍ଗପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । କିନ୍ତୁ ଅନେକ ସମୟରେ ଶବଦାହ ପାଇଁ ଆସୁଥିବା ଲୋକେ ସ୍ୱର୍ଗଦ୍ୱାରରେ ଶୋଷଣର ଶିକାର ହେଉଛନ୍ତି । ଲୋକଙ୍କୁ ଏଭଳି ଦୁର୍ଦ୍ଦଶାରୁ ମୁକ୍ତି ପାଇଁ ପୁରୀ ପୌରସଂସ୍ଥା ଅତୀତରେ ଏହାର ନବକେଳବର ପାଇଁ ଚିନ୍ତା କରିଥିଲା । ଏ ନେଇ ଏକ ଡିପିଆର୍(ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ) ବି ପ୍ରସ୍ତୁତ ହୋଇଥିଲା । ସ୍ୱର୍ଗଦ୍ୱାର ଚାରିପାଖରେ ପାଚେରି ବୁଲାଇବା ସହ ଶବଦାହ ପାଇଁ ପିଣ୍ଡି ବ୍ୟବସ୍ଥା ଯୋଜନା କରାଯାଇଥିଲା । ପୁରୁଣା ଢାଞ୍ଚାକୁ ବଦଳାଇ ନୂଆ ଢାଞ୍ଚାରେ ୪୨ଟି ପିଣ୍ଡି କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା ।
ଶୋଷଣ ସହ ବିଶୃଙ୍ଖଳା ଉପରେ ନଜର ରଖିବା ପାଇଁ ସ୍ୱର୍ଗଦ୍ୱାର ଭିତର ଓ ଚାରିପାଖରେ ୧୪ରୁ ଅଧିକ ସିସିଟିଭି ଲଗାଇବା ସହିତ ସୁରକ୍ଷା କର୍ମୀ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯାଇଥିଲା । କେବଳ ସେତିକି ନୁହେଁ, ଶବଦାହର ଲାଇଭ୍ ଷ୍ଟ୍ରିମିଂ ଯୋଜନା ବି ରହିଥିଲା । ଶ୍ରାଦ୍ଧକ୍ରିୟା ପାଇଁ ଥିବା ପୁରୁଣା ଘର ଯଥେଷ୍ଟ ନଥିବାରୁ ଏହାକୁ ବୃଦ୍ଧି ପାଇଁ ଯୋଜନା ରହିଥିଲା । ଯେଉଁମାନେ ଶବଦାହ ଓ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ ଅଛନ୍ତି, ସେମାନଙ୍କ କାମ ତଦାରଖ ପାଇଁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରାଯାଇଥିଲା । ଏଥିପାଇଁ ପ୍ରାୟ ଅଢ଼େଇ କୋଟି ଟଙ୍କାର ଡିପିଆର ପ୍ରସ୍ତୁତ କରିଥିଲା ପୌରସଂସ୍ଥା । କିନ୍ତୁ ସେ ସମୟରେ ପୌରସଂସ୍ଥା ପାଖରେ ଯଥେଷ୍ଟ ଟଙ୍କା ନଥିବାରୁ ଏହି କାମ ଅଟକି ରହିଥିଲା ।