ଭୁବନେଶ୍ବରକୁ ବିଏମ୍ସି ରେଡ୍ ଜୋନ୍ ଘୋଷଣା କରିଛି। କିନ୍ତୁ ରେଡ୍ ଜୋନ୍ରେ ଯେଉଁଭଳି କଟକଣା ରହିବା କଥା ସେଭଳି ଦେଖିବାକୁ ମିଳୁ ନାହିଁ। ଲକ୍ଡାଉନ୍ର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । କିନ୍ତୁ ସହର ସାରା ସବୁଆଡ଼େ ଖୋଲାମେଲା। ଯିଏ ଯୁଆଡ଼େ ପାଉଛି, ସିଆଡେ ଗାଡ଼ି ଧରି ବୁଲୁଛି। ହାତଗଣତି ଛକକୁ ଛାଡ଼ି ଦେଲେ ପୁଲିସର ଆକଟ ବି ଦେଖିବାକୁ ମିଳୁନାହିଁ। ସବୁ ସୀମା ଟପି ଯାଇଛନ୍ତି ଅମାନିଆ ଗାଡ଼ି ଚାଳକ। ଗାଡ଼ି ଧରି ମନ ଇଚ୍ଛା ରାଜଧାନୀରେ ବୁଲୁଛନ୍ତି। ବିନା କାମରେ ଲୋକ ବାଇକ୍ ଧରି ବୁଲୁଥିବା ଦେଖିବାକୁ ମିଳୁଛି। ସତେ ଯେପରି ରାଜଧାନୀ ରେଡ୍ ଜୋନ୍ ନୁହେଁ, ଗ୍ରିନ୍ ଜୋନ୍ ଭିତରେ ରହିଛି। କିଛି ପ୍ରମୁଖ ଛକକୁ ଛାଡ଼ି ଦେଲେ ସବୁଆଡ଼େ ଅମାନିଆ ଗାଡ଼ି ଚାଳକ ବିନ୍ଦାସ୍ ବୁଲୁଛନ୍ତି।
ଅମାନିଆ ଗାଡ଼ି ଚାଳକ ଲକଡାଉନ୍ ନିମୟକୁ ଉଲ୍ଲଂଘନ କରି ଗୋଟିଏ ବାଇକରେ ଦୁଇଜଣ ଲେଖାଏଁ ବି ବୁଲୁଛନ୍ତି। ଏଜି, କଳ୍ପନା, ରାଜମହଲ, ଜୟଦେବ ବିହାର, ଡମଣା, ପଟିଆ ଭଳି ପ୍ରମୁଖ ଛକରେ ପୁଲିସ୍ ଚେକିଂ ଦେଖିବାକୁ ମିଳିଥିଲା। ଅମାନିଆ ଗାଡ଼ି ଚାଳକ ଓ ଆଇନ ଉଲ୍ଲଂଘନ କରୁଥିବା ବାଇକ ଚାଳକଙ୍କୁ ପୁଲିସ ଅଟକାଇ ଜରିମାନା ଆଦାୟ କରିଥିଲା। ଏଠାରେ ପ୍ରଶ୍ନ ଉଠୁଛି, ଯଦି ରେଡ୍-ଜୋନ୍ ଘୋଷଣା କରାଯାଇଛି, ତା’ ହେଲେ ଏଭଳି କଟକଣା କୋହଳ ହେଲା କିପରି? କାହିଁକି ପୁଲିସ କଡ଼ା କଟକଣା ଜାରି କରୁନି ବୋଲି ଆଲୋଚନା ହେଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/road-6a.jpg)