ରାଜ୍ୟରେ ବଢୁଛି  କରୋନା ପରୀକ୍ଷଣ କ୍ଷମତା । ଗତକାଲି ଗୋଟିଏ ଦିନରେ ପୁଣି ରେକର୍ଡ  ୨୨୦୯ ସାମ୍ପଲ୍ ଟେଷ୍ଟ । ବର୍ତ୍ତମାନ ସୁଦ୍ଧା ୮୩ ଆକ୍ରାନ୍ତ । ସୁସ୍ଥ ହେଲେଣି ୩୨

620

କନକ ବ୍ୟୁରୋ : କରୋନାକୁ ନେଇ ଦିନକୁ ଦିନ ବଢୁଛି ନମୂନା ପରୀକ୍ଷଣ ସଂଖ୍ୟା । ଗତକାଲି ଗୋଟିଏ ଦିନରେ ୨୨୦୯ଟି ନମୂନା ପରୀକ୍ଷା ହୋଇଛି । ମଙ୍ଗଳବାର ୨ ହଜାର ୨୭ଟି ନମୂନା ପରୀକ୍ଷା ହୋଇଥିଲା । ବୁଧବାର ଏହି ସଂଖ୍ୟାକୁ ଅତିକ୍ରମ କରି ୨ ହଜାର ୨୦୯ଟି ନମୂନା ପରୀକ୍ଷା ହୋଇଛି । ଏହା ରାଜ୍ୟ ପାଇଁ ରେକର୍ଡ ସଂଖ୍ୟକ ପରୀକ୍ଷା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ନମୂନା ପରୀକ୍ଷଣ ସଂଖ୍ୟା ୧୫ ହଜାର ୯୮୪ଟି ନମୂନା ପରୀକ୍ଷା ହୋଇଛି । ଏହା ମଧ୍ୟରୁ ୮୩ଟି ନମୂନା ନେଗେଟିଭ୍ ଆସିଛି । ରାଜ୍ୟରେ ଏବେ ଆକ୍ଟିଭ୍ କେସ୍ ରହିଛି ୫୦ଟି । ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୩୨ ଜଣ । ବର୍ତ୍ତମାନ ସୁଦ୍ଧା କରୋନାରେ ଜଣଙ୍କର ମୃତ୍ୟୁ ହୋଇଛି ।

ସେପଟେ କଂଟେନମେଂଟ ମୁକ୍ତ ଅଂଚଳ ହେଲା ଭୁବନେଶ୍ୱର । ସତ୍ୟନଗର, ସୂର୍ଯ୍ୟନଗର, ଓ ବମିଖାଲରୁ ଉଠିଲା କଂଟେନମେଂଟ କଟକଣା । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ହେଲେ, ଆଗାମୀ ୭ ଦିନ ପର୍ଯ୍ୟନ୍ତ ଏହି ସବୁ ଅଂଚଳ ଉପରେ ତୀକ୍ଷଣ ନଜର ରଖିବ ପ୍ରଶାସନ । ସବୁଠୁ ବଡ କଥା ହେଲା ଗତ ସାତ ଦିନ ମଧ୍ୟରେ ଭୁବନେଶ୍ୱରରେ କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନାହାଁନ୍ତି । ଏହାକୁ ଦୃଷ୍ଟିରେ ରଖି ବିଏମସି ଏହି ନିଷ୍ପତି ନେଇଛି । ପୂର୍ବରୁ ଯଦୁପୁର ଓ ସୁନ୍ଦରପଦା ଅଂଚଳକୁ କଂଟେନମେଂଟ ମୁକ୍ତ ଅଂଚଳ ଭାବେ ଘୋଷଣା କରାଯାଇଥିଲା । ରାଜଧାନୀ ଭୁବନେଶ୍ୱରରେ ମୋଟ ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ୨୪ଜଣ ଆକ୍ରାନ୍ତ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।