ନର୍ସ ହେବ ତ ଏମିତି, ନବଜାତଙ୍କୁ ବଞ୍ଚାଇବା ପାଇଁ ପିଠିରେ ଅଟକାଉଥିଲେ ଛାତରୁ ଖସୁଥିବା ସିଲିଂ : ସାମ୍ନାକୁ ଆସିଲା ବାତ୍ୟା ବେଳର ପ୍ରକୃତ ହିରୋଙ୍କ ଆଉ ଏକ କାହାଣୀ

583

କନକ ବ୍ୟୁରୋ : ଭୟ ଓ ଆଶଙ୍କାର ବାର୍ତ୍ତା ନେଇ ଘୁଘୁ ହୋଇ ମାଡ଼ି ଆସୁଥାଏ ବାତ୍ୟା ଫୋନୀ । ଚାରିଆଡେ ଅନ୍ଧକାର । ଫୋନିର ଭୟଙ୍କର ରୂପ ସମସ୍ତଙ୍କୁ ବିଚଳିତ କରିଦେଉଥାଏ । କ୍ୟାପିଟାଲ ହସ୍ପିଟାଲର ଏସଏନସିୟୁ ଭିତରେଥାନ୍ତି ୨୩ ଜଣ ନବଜାତ ଶିଶୁ । ହଠାତ୍ ବାତ୍ୟାର ପ୍ରଭାବରେ ଥରହର ହେବାରେ ଲାଗିଲା ହସ୍ପିଟାଲର ସିଲିଂ । ଅତଡ଼ା ଖସିବା ଭଳି ଏସଏନସିୟୁର ଗୋଟିଏ ପରେ ଗୋଟିଏ ସିଲିଂ ଖସିବାକୁ ଲାଗିଲା । ଆଉ ଠିକ୍ ଏମିତି ବେଳେ ନିଜର ବୁଦ୍ଧିମତାର ପରିଚୟ ଦେଇଥିଲେ ହସ୍ପିଟାଲରେ ଥିବା ନର୍ସମାନେ ।ଛୋଟ ଛୋଟ ପିଲାଙ୍କୁ ସୁରକ୍ଷିତ ରଖିବା ପାଇଁ ଖସୁଥିବା ସିଲିଂ ପଟକୁ ପିଠି ଦେଇ ପାହାଡ଼ ଭଳି ଠିଆ ହୋଇଯାଇଥିଲେ ।

ସେତେବେଳେ ଯାହା ପରିସ୍ଥିତି ଥିଲା, କିଛି ବି ଘଟି ଯାଇଥାନ୍ତା । ହେଲେ ଏସଏନସିୟୁ ଭିତରେ ଥିବା ନର୍ସମାନେ ନିଜ ଜୀବନକୁ ଖାତିର୍ ନକରି ଏହି କୁନି କୁନି ପିଲାଙ୍କ ଜୀବନକୁ ବଂଚାଇବା ପାଇଁ ବାହାରି ଆସିଥିଲେ । ଆଉ ଏଥିରେ ସହଯୋଗ କରିଥିଲେ ଜଣେ ଡାକ୍ତର ।ନିଜ ପେଶାକୁ ଭଲ ପାଇବା ଏବଂ ପେଶା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେବା ଦୁଇଟି ଭିନ୍ନ କଥା । କିନ୍ତୁ କ୍ୟାପିଟାଲ ହସ୍ପିଟାଲର ଏହି ନର୍ସମାନେ ଦୁଇଟି ଯାକ ଦାୟିତ୍ୱକୁ ଏଭଳି ତୁଳାଇଛନ୍ତି, ଯିଏ ବି ଏହି ନର୍ସମାନଙ୍କ କାହାଣୀ ଜାଣିଲେ, ସେ କହିବ-ନର୍ସ ହେବ ତ ଏମିତି!