କୁଆଡେ ଗଲେ କଟକ ଏସସିବିରୁ ଅପହୃତ ଆଉ ୨ ଶିଶୁ ? ଗତକାଲି ୨ଶିଶୁପୁତ୍ରକୁ ଉଦ୍ଧାର କରିବା ସହ ୪ ଜଣକୁ ଗିରଫ କରିଥିଲା କମିସନରେଟ୍ ପୁଲିସ

31

କନକ ବ୍ୟୁରୋ : କିପରି କଟକ ଏସସିବିରୁ ପିଲା ଚୋରି ହେଉଛି? କେମିତି ଜାଣି ପାରୁନାହାନ୍ତି ମେଡିକାଲ କର୍ତୃପକ୍ଷ? କାହିଁକି ବାରମ୍ବାର ଏଭଳି ଅଭିଯୋଗ ଆସୁଛି, ଏହା ହିଁ ଏବେ ବଡ ପ୍ରଶ୍ନ ହୋଇଛି । ଏପଟେ କମିସନରେଟ୍ ପୁଲିସ ଦାବି କରୁଛି ଘଟଣାର ପର୍ଦ୍ଦାଫାଶ ହୋଇଛି । ଶିଶୁ ଅପହରଣ ଘଟଣାରେ ସଂପୃକ୍ତି ଅଭିଯୋଗରେ ଜଣେ ମହିଳାଙ୍କ ସହ ୪ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ ।

ଦୁଇ ଶିଶୁ ମଧ୍ୟ ଉଦ୍ଧାର କରାଯାଇଛି । ତେବେ ଆଉ ଜଣ ଶିଶୁଙ୍କ ଏବେ ବି ପତ୍ତା ମିଳିନାହିଁ । ବୁଧବାର କଟକ ବଡ ମେଡିକାଲ ପରିସରରେ ପିଲା ଚୋରି ଅଭିଯୋଗ ଆସିବା ପରେ ପୁଲିସ ତତ୍ପରତା ପ୍ରକାଶ କରିଥିଲା । ମହିଳା ଓ ପ୍ରସୂତି ବିଭାଗରେ ଥିବା ଢେଙ୍କାନାଳ କଙ୍କଡାହାଡର ପବିତ୍ର ପାତ୍ରଙ୍କ ସ୍ତ୍ରୀ ମଙ୍ଗଳବାର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ।

ତେବେ ବୁଧବାର ପୋଲିଓ ଟୀକା ଦେବାକୁ କହି ଜଣେ ମହିଳା ନିଜକୁ ଆଶା କର୍ମୀ ପରିଚୟ ଦେଇ ପିଲାଟିକୁ ନେଇ କୁଆଡେ ଚାଲିଯାଇଥିଲେ । ପ୍ରାୟ ୧ ଘଂଟା ଧରି ଖୋଜା ଖୋଜି କରିବା ପରେ ପୁଅଟି ନ ମିଳିବାରୁ ପବିତ୍ର ମଂଗଳାବାଗ ଥାନାରେ ଏତଲା ଦେଇଥିଲେ ।

ଅଭିଯୋଗ ପାଇବା ପରେ  ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ପୋଲିସ । ସିସିଟିଭି ଫୁଟେଜକୁ ଯାଂଚ କରିବା ସହ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଭିତି କରି ୪ ଜଣଙ୍କୁ ଗିରଫ କରାଯାଇଛି । ତେବେ ଏହି ପିଲାଚୋରି ପଛରେ ଏକ ର୍ୟାକେଟ୍ କାମ କରୁଥିବା ସଂଦେହ ପ୍ରକାଶ ପାଇଛି ।