ଶସ୍ତା ହେବ ଇଏମଆଇ । ରେପୋ ରେଟ ୪୦ ବେସିସ ପଏଣ୍ଟ ହ୍ରାସ କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଆଉ ୩ ମାସ ପାଇଁ କୋହଳ ହେଲା ଋଣ କିସ୍ତି

4,262

କନକ ବ୍ୟୁରୋ : ଶସ୍ତା ହେବ ଆପଣଙ୍କ ଇଏମଆଇ । ରେପୋ ରେଟ ୪୦ ବେସିସ ପଂଏଟ ହ୍ରାସ କଲା ଆରବିଆଇ । ଏନେଇ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । କରୋନାରେ ଅର୍ଥନୀତି ହୋଇଛି ପ୍ରଭାବିତ । କମିଛି ଉତ୍ପାଦନ ଓ ଆବଶ୍ୟକତା, ଡାଲି ଦର ବୃଦ୍ଧି ଚିନ୍ତାଜନକ ବୋଲି ସେ କହିଛନ୍ତି । ଏସବୁ ଭିତରେ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ରେପୋ ରେଟ୍ ରେ କଇଁଚି ଚଲାଇ ଏହାକୁ ହ୍ରାସ କରିଛନ୍ତି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଗଭର୍ଣ୍ଣର । ଏହି ହ୍ରାସ ପରେ ରେପୋ ରେଟ୍ ୪.୪୦ ବେସିସ୍ ପଏଂଟରୁ ଖସି ୪ ପଏଂଟକୁ ଆସିଛି । ତାଲାବନ୍ଦ ସମୟରେ ଏହା ଦ୍ୱିତୀୟ ଥର ପାଇଁ ହ୍ରାସ ।

ଗତ ୨୭ ମାର୍ଚରେ ଆରବିଆଇ ପ୍ରଥମ ଥର ୦.୭୫ ପ୍ରତିଶତ ବେସିସ୍ ପଏଂଟ ରେପୋ ରେଟ୍ ହ୍ରାସ କରିଥିଲା । ସେହିଥର ବ୍ୟାଙ୍କ ଗୁଡିକର ସୁଧ ହାର ମଧ୍ୟ ହ୍ରାସ କରାଯାଇଥିଲା । ଏହା ସହିତ ଋଣ କିସ୍ତି ଦେବାରେ ଗ୍ରାହକଙ୍କୁ ୩ ମାସର ରିହାତି ଦିଆଯାଇଛି । ଅର୍ଥାତ୍ ଯଦି ଏବେ ୩ ମାସ ପାଇଁ ଆପଣ ଋଣ କିସ୍ତି ଦେଉନାହାନ୍ତି ତେବେ ଆପଣଙ୍କ ଉପରେ କୌଣସି ଆର୍ଥିକ ବୋଝ ବଢିବ ନାହିଁ । ପୂର୍ବରୁ ଆରବିଆଇ ତାଲାବନ୍ଦ ଆରମ୍ଭ ସମୟରେ ୩ ମାସ ପାଇଁ ଗ୍ରାହକଙ୍କୁ ଋଣ କିସ୍ତି କୋହଳ ପାଇଁ ସମସ୍ତ ବ୍ୟାଙ୍କକୁ ନିବେଦନ କରିଥିଲେ । ଏବେ ଆଉ ୩ ମାସ ପାଇଁ ପୁଣି ଅପିଲ୍ କରିଛନ୍ତି । ଫଳରେ ଗ୍ରାହକଙ୍କ ପାଇଁ ଏବେ ବ୍ୟାଙ୍କରୁ ୬ ମାସ ପାଇଁ କିସ୍ତି ପୈଠ ନକଲେ କୌଣସି ଚାପ ସୃଷ୍ଟି ହେବନାହିଁ । ଏହା ସହିତ ସାଂବାଦିକ ସମ୍ମିଳନୀରେ ଆରବିଆଇ ଗଭର୍ଣ୍ଣର ଅନେକ ପ୍ରସଙ୍ଗରେ କହିଛନ୍ତି ।

୨୦୨୦-୨୧ର ପ୍ରଥମ ୬ ମାସରେ ଭାରତର ଜିଡିପି ବୃଦ୍ଧି ହାର ନକରାତ୍ମକ ରହିବ । ରିଭର୍ସ ରେପୋ ରେଟରେ କୌଣସି ପରିବର୍ତନ ହୋଇନାହିଁ । ତାଲାବନ୍ଦ ସମୟରେ ଦେଶରେ ଆର୍ଥିକ ପରିଚାଳନାରେ ହ୍ରାସ ଦେଖିବାକୁ ମିଳିଛି ।