ଆସନ୍ତାକାଲି ୨ଟା ପରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ! କେଉଁମାନେ ପ୍ରବେଶ କରିବେ, ତାଲିକା ଦେଲା ଶ୍ରୀମନ୍ଦିର ପ୍ରଶାସନ

42

କନକ ବ୍ୟୁରୋ : ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଚାହିଁ ରହିଛି ସାରା ଓଡିଶା । ଆସନ୍ତାକାଲି ରତ୍ନଭଣ୍ଡାର ଖୋଲିଲେ କଣ ହେବ ? ଯଦିଓ ମହାପ୍ରଭୁଙ୍କ ରତ୍ନ, ଆଭୂଷଣର କୌଣସି ଆକଳନ କରାଯିବ ନାହିଁ । କେବଳ ସ୍ଥିତି ଯାଂଚ ପାଇଁ ଭିତରକୁ ଯିବ ସ୍ୱତନ୍ତ୍ର କମିଟି । ତଥାପି ସମସ୍ତଙ୍କ ଭିତରେ ପ୍ରବଳ ଉତ୍କଣ୍ଠା । ଆସନ୍ତାକାଲି ଅପରାହ୍ନ ପ୍ରାୟ ୨ଟାରେ ରତ୍ନଭଣ୍ଡାର ଖୋଲିବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିସାରିଛି ଶ୍ରୀମନ୍ଦିର ପ୍ରଶାସନ । ଆଉ ଏହାରି ଭିତରେ ରତ୍ନଭଣ୍ଡାର ଖୋଲିଲେ କଣ ହେବ ତାକୁ ଚାହିଁ ରହିଛନ୍ତି ଜଗନ୍ନାଥ ପ୍ରେମୀ । କାରଣ ଏହାକୁ ନେଇ ରହିଛି ଅନେକ କଥା, କାହାଣୀ ।

ratna bhandar

 

 

ଆସନ୍ତାକାଲି ୨ଟାରେ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ପ୍ରେବଶ କରିବେ ସ୍ୱତନ୍ତ୍ର ଟିମ୍ । ସ୍ଥିତି ଯାଂଚ କରିବାକୁ ଆସନ୍ତାକାଲି ଅପରାହ୍ନ ପ୍ରାୟ ୨ଟାବେଳେ ରତ୍ନଭଣ୍ଡାର ଖୋଲିବାକୁ ସ୍ଥିର କରିଛି ଶ୍ରୀମନ୍ଦିର ପ୍ରଶାସନ । କେଉଁମାନେ ରତ୍ନଭଣ୍ଡାର ଭିରତକୁ ପ୍ରବେଶ କରିବେ, ଯାଂଚ ସମୟରେ ଶ୍ରୀମନ୍ଦିର ଭିତରେ କେଉଁମାନେ ଉପସ୍ଥିତ ରହିବେ ଓ ପୁରା ପ୍ରକ୍ରିୟା କିଭଳି ହେବ ସେନେଇ ରୂପରେଖ ସ୍ଥିର ହୋଇସାରିଛି ।

– ତାଲିକା ଅନୁସାରେ ଗଜପତି ମହାରାଜଙ୍କ ପ୍ରତିନିଧି ରତ୍ନଭଣ୍ଡାରକୁ ପ୍ରବେଶ କରିବେ
– ଭଣ୍ଡାର ମେକାପଙ୍କ ସହ ଛତିଶାନିଯୋଗ ମହାନାୟକ, ଦେଉଳକରଣ ଓ ତଢ଼ଉକରଣ ଯିବେ
– ଏଏସଆଇର ୩ଜଣ, କୋର କମିଟିର ଜଣେ ଓ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସକ୍ୟୁରି ମଧ୍ୟ ରତ୍ନଭଣ୍ଡାରକୁ ପ୍ରବେଶ କରିବେ
– ଏହାବାଦ ଆବଶ୍ୟକ ପଡିଲେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଓ ଏସପି ମଧ୍ୟ ଯାଇପାରନ୍ତି

ରତ୍ନଭଣ୍ଡାର ଯାଂଚବେଳେ ଜଗନ୍ନାଥପ୍ରେମୀଙ୍କ ଭାବବେଗକୁ ଗୁରୁତ୍ୱ ଦେଇ ସଂପୂର୍ଣ୍ଣ ସ୍ୱଚ୍ଛତା ରକ୍ଷା ଉପରେ ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଏଥିପାଇଁ ଶ୍ରୀମନ୍ଦିର ସୁରକ୍ଷା ସହ ସ୍ୱତନ୍ତ୍ର କମିଟିର ଯାଂଚ ପାଇଁ ବନ୍ଦୋବସ୍ତ ହୋଇଛି । ରତ୍ନଭଣ୍ଡାର ଖୋଲିବାର ପ୍ରାୟ ୧ ଘଂଟା ପୂର୍ବରୁ ଶ୍ରୀମନ୍ଦିରକୁ ଶୋଧ କରି ସମସ୍ତ ଭକ୍ତଙ୍କୁ ଖାଲି କରାଯିବ । ବାହାରେ ୨ ପ୍ଲାଟୁନ ଓ ମନ୍ଦିିର ଭିତରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ ।

RATNA BHANDARA

କମିଟି ସଦସ୍ୟଙ୍କୁ ପ୍ରଥମେ ଯାଂଚ କରି ମନ୍ଦିର ଭିତରକୁ ଛଡାଯିବ । ଏହାପରେ ଶ୍ରୀମନ୍ଦିର ପ୍ରଶାସନ ଯୋଗାଇ ଦେଇଥିବା ଗାମୁଛା ପିନ୍ଧି, ମୁଣ୍ଡରେ ଏଲଇଡି ଲାଇଟ ଲଗାଇ ବେହେରଣ ଦ୍ୱାର ନିକଟକୁ ଯିବା ପରେ ପୁଣିଥରେ ଯାଂଚ କରିବ ପୋଲିସ । କମିଟି ସଦସ୍ୟମାନେ କୌଣସି ବୈଦୁତିକ କିମ୍ବା ଧାତବ ଉପକରଣ ନେଇ ଭିତରକୁ ଯାଇପାରିବେ ନାହିଁ ।

ratna bhandar

ବର୍ଷ ବର୍ଷ ଧରି ବନ୍ଦ ପଡିଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ସ୍ୱତନ୍ତ୍ର କମିଟି ପ୍ରବେଶ ବେଳେ କୌଣସି ଅଘଟଣ ଏଡାଇବାକୁ ସବୁ ବନ୍ଦୋବସ୍ତ କରାଯିବ । ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ନହେବା ଲାଗି ଏକ ସ୍ୱତନ୍ତ୍ର ମେସିନ ସାହାଯ୍ୟରେ ଅମ୍ଳଜାନ ଯୋଗାଇ ଦେବାର ବ୍ୟବସ୍ଥା ହେବ । ସେହିପରି ଡାକ୍ତରୀ ଟିମ୍, ଅଗ୍ନିଶମ ବିଭାଗ ଓ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ପ୍ରସ୍ତୁତ ରଖାଯିବ । ରତ୍ନଭଣ୍ଡାର ଯାଂଚ କରି ସ୍ୱତନ୍ତ୍ର କମିଟି ରିପୋର୍ଟ ଲେଖି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବେ । ସେପଟେ ରତ୍ନଭଣ୍ଡାର ଖୋଲିବା ସମୟରେ ଗଜପତି ମହାରାଜ ଉପସ୍ଥିତ ନରହି ତାଙ୍କ ପ୍ରତିନିଧି ଉପସ୍ଥିତ ରହିବାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ସେହିପରି ଶ୍ରୀଜୀଉଙ୍କ ଭଣ୍ଡାର ରକ୍ଷକ ଶ୍ରୀଲୋକନାଥଙ୍କ ମନ୍ଦିର ସେବାୟତଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ମଧ୍ୟ ଉଠିଛି ।