କାହାର ପୁଷମାସ, କାହାର ସର୍ବନାଶ : ସରକାରୀ ଚାକିରିଆଙ୍କ ପରିବାର ଉଠାଉଛନ୍ତି ରାସନ୍

476

କନକ ବ୍ୟୁରୋ : କାହାର ସ୍ବାମୀ ତ କାହାର ପୁଅ ହେଉଛନ୍ତି ସରକାରୀ ଚାକିରିଆ। କାହାର ଶ୍ବଶୁର ଚାକିରିଆ ଅଥବା ପେନସନ୍‌ଧାରୀ। ଏମିତି ମହିଳା ଅଛନ୍ତି, ଯେଉଁମାନଙ୍କ ସ୍ବାମୀ ହେଉଛନ୍ତି ଧାନକଳ ମାଲିକ ଅଥବା ୩ଟି ଟ୍ରାକ୍ଟର‌୍‌ର ମାଲିକ। କାହାର ଦୁଇ ମହଲା କୋଠା ଘର ଅଛି ତ କାହାର ଚାରି ଚକିଆ ଗାଡ଼ି। କିନ୍ତୁ ସରକାରୀ ରେକର୍ଡରେ ଏମାନେ ଗରିବ। ଏମାନେ ସବୁ ହାତେଇଛନ୍ତି ରାସନକାର୍ଡ। ମାସକୁ ମାସ ହାତେଇ ଚାଲିଛନ୍ତି ରାସନ ସାମଗ୍ରୀ। ବିଭିନ୍ନ ସମୟରେ ବିଭିନ୍ନ ସରକାରୀ ସହାୟତା। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ମହାକାଳପଡ଼ା ପ˚ଚାୟତରେ ଏଭଳି ହିତାଧିକାରୀଙ୍କ ନାମ ତାଲିକା ଏବେ ସାମନାକୁ ଆସିଛି। କେଉଁ ନିୟମ ବଳରେ ଏଭଳି ବ୍ୟକ୍ତିଙ୍କୁ ରାସନକାର୍ଡ ମିଳିଲା, ତାକୁ ନେଇ ଗୋଟିଏପଟେ ପ୍ରଶ୍ନ ଉଠୁଥିବାବେଳେ ଅନ୍ୟପଟେ ଅଭିଯୋଗ ପରେ ବି ଯୋଗାଣ ନିରୀକ୍ଷକ ଚୁପ୍‌ ବସିବା ଘଟଣା ରାସନକାର୍ଡ ଚୟନରେ ହୋଇଥିବା ବଡ଼ଧରଣର କେଳେଙ୍କାରୀର ଆଭାସ ଦେଉଛି।

ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ଚାକିରିଆମାନେ ସରକାରଙ୍କ କୌଣସି ଯୋଜନାର ସୁବିଧା ପାଇବେ ନାହିଁ ବୋଲି ନିୟମ ଥିବାବେଳେ ଏମାନେ କେଉଁ ଆଧାରରେ ରାସନକାର୍ଡ ହିତାଧିକାରୀ ହେଲେ? କାର୍ଡ ଇସ୍ୟୁ ପୂର୍ବରୁ ଏମାନଙ୍କ ଆଦେନନ ଯାଞ୍ଚ କରାଯାଇଥିଲା କି? ଯଦି ହଁ, ତେବେ କେଉଁ ଆଧାରରେ ହୋଇଥିଲା ଏବ˚ ପରିବାରରେ ସରକାରୀ ଚାକିରିଆ ସ˚କ୍ରାନ୍ତରେ ଜାଣି ବି ବିଭାଗୀୟ ଅଧିକାରୀ କିପରି ରାସନକାର୍ଡ ହିତାଧିକାରୀ ନିମନ୍ତେ ଏମାନେ ଯୋଗ୍ୟ ବୋଲି ହାତକାଟି ଲେଖିଦେଲେ, ତାହା ଏବେ ତଦନ୍ତର ଅପେକ୍ଷା ରଖୁଛି। ହାଣ୍ତିରୁ ଗୋଟିଏ ଭାତ ଚିପିଲା ଭଳି ଯଦି ମହାକାଳପଡ଼ା ପ˚ଚାୟତକୁ ଉଦାହରଣ ଭାବେ ନିଆଯାଏ, ତେବେ ଜିଲ୍ଲାରେ ହିତାଧିକାରୀ ଚୟନରେ ହୋଇଥିବା ବ୍ୟାପକ ଅନିୟମିତତାର ଆକାର କେତେ ବିଶାଳ, ତାହାର ପ୍ରମାଣ ମିଳୁଛି।