କନକ ବ୍ୟୁରୋ : ସ୍ନାନ ପୂର୍ଣ୍ଣିମା ପରେ ଜ୍ୱରରେ ପଡ଼ି ଅସୁସ୍ଥ ମହାପ୍ରଭୁ ଅଣସର ପିଣ୍ଡିରେ ବିଶ୍ରାମ ନେଉଛନ୍ତି। ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଚାଲିଛି ନାନାଦି ଗୁପ୍ତସେବା । ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଅଣସରକାଳୀନ ଗୁପ୍ତନୀତି ସଂପାଦନ କରୁଛନ୍ତି । ଏକବସ୍ତ୍ର ହୋଇ ଅଣସର ବାସଠାରୁ ଦୈନିନ୍ଦିନ ଚକଟା ଭୋଇ ଓ ଅନ୍ୟାନ୍ୟ ନୀତି ସଂପାଦନ କରୁଛନ୍ତି । ଶ୍ରୀଅଙ୍ଗରେ ଲାଗି ହେବା ପାଇଁ ବିଭିନ୍ନ ପ୍ରକାର ଚେରମୂଳିରୁ ପ୍ରସ୍ତୁତ ଓଷଧ ଯୋଗାଇ ଦିଆଯାଉଛି । ବଡ଼ଓଡ଼ିଆ ମଠ ଫୁଲୁରି ତେଲ ଯୋଗାଇଥିବା ବେଳେ ଶୁଦ୍ଧ ସୁଆର ସେବକମାନେ ଓଷୁଅ ଯୋଗାଇ ଦେଇଛନ୍ତି । ଆଜି ବିଧି ମୁତାବକ ଅଣସରରେ ଥିବା ତିନି ଠାକୁର ଚକା ବିଜେ କରିବା ସହ ଶ୍ରୀମନ୍ଦିର ବୈଦ୍ୟ ଦଶମୂଳ ପ୍ରସ୍ତୁତ କରି ଗାରଦରେ ଦାଖଲ କରିଛନ୍ତି ।
ଏକାଦଶୀ ତିଥିର ବିଳମ୍ବିତ ରାତିରେ ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶ କ୍ରମେ ଶ୍ରୀଅଙ୍ଗର ଉପଚାର କରାଯିବ ବୋଲି ବରିଷ୍ଠ ଦଇତାପତି ସେବକ ବିଶ୍ୱାବସୁ ବିନାୟକ ଦାସ ମହାପାତ୍ର କହିଛନ୍ତି । ଏଥିସହ ଆସନ୍ତାକାଲି ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ଲାଗି ନୀତି ଅନୁଷ୍ଠିତ ହେବ । ମହାପ୍ରଭୁ ଆସନ୍ତାକାଲି ରକ୍ତବସ୍ତ୍ର ପରିଧାନ କରିବେ । ପୂର୍ବରୁ ବିନା ତୁଳସୀରେ ଧଳା ଫୁଲରେ ପୂଜା ପାଉଥିବା ମହାପ୍ରଭୁଙ୍କୁ ଆଜିଠାରୁ ତୁଳସୀ ଲାଗି ହେବ ବୋଲି ଶ୍ରୀ ଦାସ ମହାପାତ୍ର କହିଛନ୍ତି ।
ପରମ୍ପରା ମୁତାବକ ଗତକାଲି ମହାପ୍ରଭୁଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହୋଇଥିଲା । ବିଶ୍ରାମ କରୁଥିବା ମହାପ୍ରଭୁ ଆଜି ଚକା ଉପରେ ବିଜେ କରିଛନ୍ତି । ଏହି ନୀତି ୧୨ଟାରୁ ସାଢ଼େ ୪ଟା ମଧ୍ୟରେ ହେବାକୁ ଥିବା ବେଳେ ଗତକାଲି ନୀତି ମୁତାବକ ସମସ୍ତ କାର୍ଯ୍ୟ ସୁରଖୁରୁରେ ସଂପନ୍ନ ହୋଇଛି । ବିଶ୍ରାମାବସ୍ଥାରୁ ଚକା ଉପରେ ବିଜେ ହେବା ସ୍ଥିତି ମହାପ୍ରଭୁଙ୍କ ସୁସ୍ଥତାର ପରିଚୟ ଦେଇଛି । ଚକା ବିଜେ ହେବା ପରେ ଶ୍ରୀମନ୍ଦିରକୁ ଏହି ଦଶମୂଳ (ମୋଦକ) ବିଜେ କରାଯାଇଛି । ପ୍ରଭୁଙ୍କ କବିରାଜମାନେ ଏହି ଔଷଧକୁ ଦୀର୍ଘଦିନ ଶୁଦ୍ଧପୂତ ଭାବରେ ପ୍ରସ୍ତୁତ କରିଥିଲେ । ଆୟୁର୍ବେଦ ପଦ୍ଧତି ଏବଂ ଶାସ୍ତ୍ରାନୁସରଣରେ ଏହି ମହୌଷଧୀ ପ୍ରସ୍ତୁତ କରାଯାଇଥିଲା । ଏକାଦଶୀ ତିଥି ଅର୍ଥାତ୍ ଆସନ୍ତାକାଲି ଅସୁସ୍ଥ ଶ୍ରୀବିଗ୍ରହମାନଙ୍କୁ ଦଶମୂଳ ମୋଦକ ଲାଗି କରିବାର ବିଧି ରହିଛି ।
ଶ୍ରୀମନ୍ଦିର ବୈଦ୍ୟମାନ୍ୟତାପ୍ରାପ୍ତ କବିରାଜ ସେବକମାନେ ପୁରୁଷାନୁକ୍ରମେ ପ୍ରଭୁଙ୍କ ପାଇଁ ଏହି ମହୌଷଧୀ ପ୍ରସ୍ତୁତି ସେବାରେ ନିୟୋଜିତ ଅଛନ୍ତି । ଶାଳପର୍ଣ୍ଣିି, ଗମ୍ଭାରୀ, ଲବାଙ୍ଗ କୁଳି, ଫଣଫଣା, କୃଷ୍ଣ ପର୍ଣ୍ଣିି, ବେଲ, ଖଣିବଥୁ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ବାଗୋତି, ଦେଶୀ ଘିଅ, ମହୁ, ନବାତ, ଖୁଆସର, ଭାଙ୍ଗ ଆଦି ପ୍ରାକୃତିକ ଜଟିବୁଟି ସମ୍ମିଶ୍ରଣରେ ମହାପ୍ରଭୁଙ୍କ ପାଇଁ ଏହି ଔଷଧ ପ୍ରସ୍ତୁତ ହୋଇଛି । ହବିଷାନ୍ନ ବ୍ରତ ପାଳନ ସହ ଭକ୍ତିପୂତ ଚିତ୍ତରେ ନିଷ୍ଠାର ସହ ଏହି ଔଷଧ ପ୍ରସ୍ତୁତ କରାଯାଇଛି । ମହାପ୍ରଭୁଙ୍କ ଏହି ମହୌଷଧୀରେ ୩ କିଲୋରୁ ଅଧିକ ଚେରମୂଳି ବ୍ୟବହୃତ ହୋଇଛି । ବିଭିନ୍ନ ଭକ୍ତ ଓ କିଛି ଆୟୁର୍ବେଦ ଔଷଧ ଦୋକାନରୁ ଏହି ଦୁର୍ଲଭ ଚେରମୂଳିକୁ ବୈଦ୍ୟମାନେ ସଂଗ୍ରହ କରିଛନ୍ତି । ଧନ୍ଵନ୍ତରୀ ଆୟୁର୍ବେଦ ଶାସ୍ତ୍ର ଆଧାରରେ ଏହି ମୋଦକ ପ୍ରସ୍ତୁତ ହୋଇଛି ।
Follow Us
/kanak/media/post_attachments/wp-content/uploads/2017/12/vlcsnap-2017-12-16-20h03m38s319.png)
/kanak/media/post_attachments/wp-content/uploads/2018/07/RATHA-RA-DUARA-BEDHA-UTHICHI-750x430.jpg)
/kanak/media/post_attachments/wp-content/uploads/2018/06/PHOTO-01000407-1.jpg)