ରଥ କଥା : ‘ଅଣସର ଘରେ ଥିଲ… ଆଜ ବାହାର ହେଲ’

ଅସିତ ମହାନ୍ତି

43

ଜ୍ୟେଷ୍ଠପୂର୍ଣ୍ଣିମା ବା ସ୍ନାନପୂର୍ଣ୍ଣିମାଠାରୁ ଆଷାଢ଼ ଅମାବାସ୍ୟା- ପନ୍ଦର ଦିନର ‘ଅଣସର’ । ନବକଳେବର ବର୍ଷରେ ଏହା ଦେଢ଼ମାସକୁ ବଢ଼ିଯାଏ । ‘ମହାଅଣସର’ ହୁଏ । ତା’ପରେ ଆଷାଢ଼ ଶୁକ୍ଳ ପ୍ରତିପଦାରେ ‘ନବଯୌବନ’ରେ ଭକ୍ତଙ୍କୁ ଦର୍ଶନ ଦେଇ, ଦ୍ୱିତୀୟା ଦିନ ସକାଳେ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରରୁ ଭକ୍ତଜନଙ୍କ ମେଳକୁ ବାହାରନ୍ତି । ସେଦିନ ହୁଏ ତାଙ୍କର ‘ଶ୍ରୀଗୁଣ୍ଡିଚା ଯାତ୍ରା’ ।

ପ୍ରଥମେ ଶ୍ରୀସୁଦର୍ଶନ, ତାଙ୍କ ପରେ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ଏବଂ ଶେଷରେ ଶ୍ରୀଜଗନ୍ନାଥ ପହଣ୍ଡି ହୋଇ ରଥକୁ ଆସନ୍ତି । ଶ୍ରୀସୁଦର୍ଶନ ଓ ଦେବୀ ସୁଭଦ୍ରାଙ୍କର ଶୂନ୍ୟ ପହଣ୍ଡି ହୁଏ, ଅର୍ଥାତ୍‍ ସେମାନେ ସଂପୃକ୍ତ ଦଇତା ସେବକଙ୍କ କାନ୍ଧରେ ବିଜେ ହୋଇ, ଶୂନ୍ୟେ ଶୂନ୍ୟେ ଆସି ଦେବଦଳନ ରଥରେ ଅଧିଷ୍ଠିତ ହୁଅନ୍ତି । ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ କିନ୍ତୁ ସୁନ୍ଦର ଟାହିଆ ପିନ୍ଧି, ଧୀରେଧୀରେ ପାଦ ପକାଇ ଆସିଥାଆନ୍ତି । ଭକ୍ତକବି ସାଲବେଗ ଏହାର ସୁନ୍ଦର ବର୍ଣ୍ଣନା ଗୋଟିଏ ଭଜନରେ କରିଛନ୍ତି । ତାହାର ପ୍ରଥମ ପଦଟି ହେଉଛି-

ଅଣସର ଘରେ ଥିଲ ଆଜ ବାହାର ହେଲ
ତ୍ରିଭଙ୍ଗୀ ଭଙ୍ଗୀ କରି ଚାହୁଁଛ ।
ଶ୍ରୀଭୁଜେ ଭୁଜ ପେଲି ମତ୍ତଗଜ ପ୍ରାୟେ ଝୁଲି
ମହାପାତକମାନଙ୍କୁ ଦହୁଛ ।।

ଏହା ଶ୍ରୀଗୁଣ୍ଡିଚାଯାତ୍ରାର ଏକ ଅତ୍ୟନ୍ତ ଆକର୍ଷଣୀୟ ଦୃଶ୍ୟ । ଶ୍ରୀଅଙ୍ଗରକ୍ଷକ ଦଇତା ସେବକମାନଙ୍କର ଭୁଜ ସହ ଭୁଜ ମିଶାଇ, ହାତୀ ପରି ଝୁଲିଝୁଲି, ଅଣସର ଘରୁ ‘ନବଯୌବନ’ ନେଇ ବାହାରିଥିବା ପ୍ରଭୁ ରଥକୁ ଆସନ୍ତି ।

କିନ୍ତୁ ସାଲବେଗଙ୍କର ଏହି ଭଜନର ଆଉ ଯେଉଁ ପଦଟିକୁ ଗାୟକମାନେ ଗାୟନ ସୁବିଧା ଦୃଷ୍ଟିରୁ ଛାଡ଼ିଯାଆନ୍ତି- ସେହି ପଦରେ ରହିଛି ଶ୍ରୀଜଗନ୍ନାଥଙ୍କ ପହଣ୍ଡିର ଆଉ ଏକ ଭାବପୂର୍ଣ୍ଣ ବର୍ଣ୍ଣନା । ସେହି ପଦଟି ହେଉଛି-

ଗୁଣନିଧି ମୋ କେଣିକି ଯାଉଛଟ୍ଟ
ଯାଉଛ, ପହଣ୍ଡେ ରହୁଛ ।

ଏହି ‘ପହଣ୍ଡି’ ଶବ୍ଦର ଉତ୍ସ କେଉଁଠି, ସେ ନେଇ ଭିନ୍ନଭିନ୍ନ ମତ ଅଛି । ବଙ୍ଗୀୟ ଲେଖକ ଗୁରୁଦାସ ସରକାରଙ୍କ ପରି କେତେକ, ସଂସ୍କୃତ ‘ପଦହୁଣ୍ଡନ’ରୁ ପହଣ୍ଡି ଶବ୍ଦର ସୃଷ୍ଟି ହୋଇଛି ବୋଲି କହିଛନ୍ତି । କିନ୍ତୁ ‘ଶ୍ରୀକ୍ଷେତ୍ର’ ପୁସ୍ତକର ବଙ୍ଗୀୟ ଲେଖକ ସୁନ୍ଦରାନନ୍ଦ ବିଦ୍ୟାବିନୋଦ, ପାଣ୍ଡ୍ୟ ନରେଶ ପାଣ୍ଡୁ ବିଜୟଙ୍କ ନାମାନୁସାରେ ‘ପହଣ୍ଡି’ ବା ‘ପହଣ୍ଡି ବିଜେ’ର ସୃଷ୍ଟି ହୋଇଛି ବୋଲି କହିଛନ୍ତି । ଏହି ମତର ସମର୍ଥକଙ୍କ ଅନୁସାରେ, ବୌଦ୍ଧମାନେ ଏକଦା ମାଧବଙ୍କ ସମେତ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ବୁଦ୍ଧ-ଧର୍ମ-ସଂଘ (ବୌଦ୍ଧ ତ୍ରିରତ୍ନ)ର ପ୍ରତୀକ ରୂପେ ପୂଜା କରୁଥିଲେ । ପାଣ୍ଡ୍ୟ ଦେଶର ବୈଷ୍ଣବ ରାଜା ପାଣ୍ଡୁ ବିଜୟ ସେମାନଙ୍କଠାରୁ ସେହି ତ୍ରିରତ୍ନଙ୍କୁ ନେଇ ନୀଳାଚଳରେ ପୁନଃପ୍ରତିଷ୍ଠା କରିଥିଲେ । ତାଙ୍କରି ନାମାନୁସାରେ ‘ପହଣ୍ଡି ବିଜେ’ର ସୃଷ୍ଟି ହୋଇଛି ।

କିନ୍ତୁ ‘ପୁରୀ ବୋଲି’ ପୁସ୍ତକର ଲେଖକ ତଥା ଶ୍ରୀମନ୍ଦିରର ଦେଉଳ ପୁରୋହିତ ସେବକ ଡକ୍ଟର ସିଦେ୍ଧଶ୍ୱର ମହାପାତ୍ର ‘ପହଣ୍ଡ’ ବା ପଦପାତରୁ ‘ପହଣ୍ଡି’ର ସୃଷ୍ଟି ହୋଇଛି ବୋଲି କହନ୍ତି । ଏ ପ୍ରସଙ୍ଗରେ ସେ ଉଦ୍ଧାର କରିଛନ୍ତି ଆଦିକବି ସାରଳା ଦାସଙ୍କ ‘ମହାଭାରତ’ର ଏକ ପଦକୁ । ସେଥିରେ ସାରଳା ଦାସ ଲେଖିଛନ୍ତି-

ୟେକା ପହଣ୍ଡକେ କୋଶେ ଯାଇ କ୍ଷେପି ।
ପୃଥ୍ୱୀ ଡେଇଁତେ ପାରେ ସେ ଅସୁର କାମରୂପୀ ।।

ତାଙ୍କ ମତାନୁସାରେ, ଏଇ ‘ପହଣ୍ଡ’ରୁ ସୃଷ୍ଟି ହୋଇଛି ‘ପହଣ୍ଡ ମଣାଇବା’ (ପାଛୋଟି ନେବା) ଓ ‘ପହଣ୍ଡି ବିଜେ’ ଶବ୍ଦ । ଏଣୁ ଏହା ଏକ ନିଛକ ଓଡ଼ିଆ ଶବ୍ଦ ।

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ସାରା ବର୍ଷରେ ଏହି ଠାକୁରମାନଙ୍କର ସର୍ବମୋଟ ଛଅଥର ପହଣ୍ଡି ହୋଇଥାଏ । ଏହା ହେଉଛି- ୧. ସ୍ନାନଯାତ୍ରା ଦିନ ରତ୍ନବେଦୀରୁ ସ୍ନାନବେଦୀ, ୨. ସେହିଦିନ ହାତୀବେଶ ଉଲାଗି ପରେ ସ୍ନାନବେଦୀରୁ ଅଣସର ପିଣ୍ଡି, ୩. ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଅଣସର ପିଣ୍ଡିରୁ ତିନିରଥ, ୪. ଶରଧାବାଲିଠାରେ ପହଞ୍ଚିବା ପରେ ରଥରୁ ଶ୍ରୀଗୁଣ୍ଡିଚା ମନ୍ଦିର, ୫. ବାହୁଡ଼ାଯାତ୍ରା ଦିନ ଶ୍ରୀଗୁଣ୍ଡିଚା ମନ୍ଦିରରୁ ତିନିରଥ ଏବଂ ୬. ନୀଳାଦ୍ରିବିଜେ ଦିନ ରଥରୁ ଶ୍ରୀମନ୍ଦିରର ରତ୍ନବେଦୀ ।

ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ, ଶ୍ରୀମନ୍ଦିରରୁ ପହଣ୍ଡିରେ ଆସି ରଥରେ ବିଜେ ହେବା ପରେ, ବିଭିନ୍ନ ପାରମ୍ପରିକ ନୀତି ସଂପନ୍ନ ହୋଇ ଆରମ୍ଭ ହୁଏ ରଥାରୂଢ଼ ଠାକୁରମାନଙ୍କର ‘ଶ୍ରୀଗୁଣ୍ଡିଚା ଯାତ୍ରା’ ।

Comments are closed.