ରାତିପାହିଲେ ବଡଦାଣ୍ଡକୁ ଆସିବେ ମହାବାହୁ : ଆଜି ସିଂହଦ୍ୱାର ରଥ ଚକଡାକୁ ବିଜେ କରିବେ ତିନି ରଥ, ତିନିବାଡରୁ ରଥକୁ ଆସିବ ଆଜ୍ଞାମାଳ

60

କନକ ବ୍ୟୁରୋ : ରାତିପାହିଲେ ବଡ ଦାଣ୍ଡକୁ ଆସିବେ ବିଶ୍ୱ ନିୟନ୍ତା ମହାପ୍ରଭୁ ଜଗନ୍ନାଥ । ଏହାପୂର୍ବରୁ ଆଜି ସିଂହଦ୍ୱାର ରଥ ଚକଡାକୁ ବିଜେ କରିବେ ତିନି ରଥ । ପରମ୍ପରା ମୁତାବକ ରଥଖଳାରେ ପ୍ରସ୍ତୁତ ହୋଇ ରହିଥିବା ତିନି ରଥକୁ ଆଜି ରଥଖଳାରୁ ସିଂହଦ୍ୱାର ସମ୍ମୁଖ ଚକଡାକୁ ନିଆଯିବ । ରଥଖଳାରେ ତିନି ରଥରେ ଆଜ୍ଞାମାଳ ବିଜେ ପରେ ପୋଲିସ୍ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ସେବକମାନେ ରଥକୁ ସିଂହଦ୍ୱାର ଚକଡାକୁ ଟାଣି ନେବେ । ଏହା ପରେ ତିନି ରଥକୁ ଉତରମୁହାଁ କରି ରଖାଯିବ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନୀତି ଚୂଡାନ୍ତ ହୋଇଛି । ନୀତି ନିର୍ଘଂଟ ଅନୁଯାୟୀ, ବନକଲାଗି ସରିବା ପରେ ସକାଳ ପ୍ରାୟ ୭ଟାରେ ଦତତ୍ତ ବାହାରିବେ ।

ସାଢ଼େ ସାତଟାରେ ମଙ୍ଗଳ ଆଳତି, ୮ଟାରେ ମଇଲମ, ତଡପଲାଗି, ସାଢ଼େ ୮ଟାରେ ଅବକାଶ, ୯ଟା ୧୫ରେ ସୂର୍ଯ୍ୟପୂଜା, ସାଢ଼େ ୯ଟାରେ ଦ୍ୱାରପାଳ ପୂଜା ଓ ବେଶ ଶେଷ , ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଗୋପାଳବଲ୍ଲଭ ଓ ସକାଳ ଧୂପ ନୀତି ଅନୁଷ୍ଠିତ ହେବ । ପୂବାହ୍ନ ସାଢ଼େ ୧୧ଟାରେ ରଥଖଳାକୁ ତିନିବାଡଙ୍କ ଆଜ୍ଞାମାଳ ବିଜେ କରିବ । ରାତି ୯ଟାରେ ବଡସିଂହାର ଭୋଗ ଓ ରାତି ସାଢ଼େ ୯ଟାରେ ପହୁଡ ଆଳତି ହେବ । ରାତି ୯ଟା ୪୫ରେ ଶ୍ରୀମୁଖ ଖଣ୍ଡୁଆ ପରେ ରାତି ୧୦ଟା ୪୫ରେ ବାହୁଟ କଂଟ ନୀତି ଅନୁଷ୍ଠିତ ହେବ । ତାପରେ ରାତି ୧୧ଟାରୁ ଭୋର ୫ଟା ପର୍ଯ୍ୟନ୍ତ ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ । ଆସନ୍ତାକାଲି ତିନି ଠାକୁର ରଥରେ ବିଜେ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବେ ।