କନକ ବ୍ୟୁରୋ: ତିଥି ନ ଥାଇ ରଥଯାତ୍ରାର ଆୟୋଜନକୁ ବିରୋଧ କରିଛନ୍ତି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଆଜି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ସୌମ୍ୟରଞ୍ଜନ କହିଛନ୍ତି, ରଥଯାତ୍ରା ଓଡିଶା ସମତେ ଦେଶ ଓ ବିଦେଶରେ ପାଳିତ ହେଉଛି । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଭଲକଥା । କିନ୍ତୁ ଯେକୌଣସି ତିଥିରେ ରଥଯାତ୍ରା ପାଳନ ଜଗନ୍ନାଥ ସଂସ୍କୃତି ବିରୋଧୀ । ଏ ନେଇ ଇସ୍କନକୁ ୨୦୦୮ରେ ଗଜପତି ଚିଠି ଲେଖିଥିଲେ । ତାସତ୍ୱେ ଗତବର୍ଷ ଡିସେମ୍ବର ୨୩ ତାରିଖରେ ଲୁଧିଆନାରେ ଇସ୍କନ ରଥଯାତ୍ରା କରିଥିଲା ।
ଏହାକୁ ବିରୋଧ କରାଯାଇଥିଲା । ଏନେଇ ମୁଖ୍ୟମନ୍ତ୍ରୀ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ସୌମ୍ୟରଞ୍ଜନ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ସେହିଭଳି ବନ୍ଦେ ଉତ୍କଳ ଜନନୀକୁ ନିର୍ଦ୍ଦିଷ୍ଟ ସମୟସୀମା, ନିର୍ଦ୍ଦିଷ୍ଟ ଫକ୍ତି ଓ ନିର୍ଦ୍ଦିଷ୍ଟ ସ୍ୱରରେ ଗାଇବା ପାଇଁ ନିର୍ଦ୍ଦେଶ ଦେବାକୁ ବି ଗୃହରେ ଦାବି କରିଛନ୍ତି ବିଧାୟକ । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ବାଚସ୍ପତି ଗୃହରେ ରୁଲିଂ ଦେଇଛନ୍ତି ।