ରସୁଲଗଡ଼ ଶିଳ୍ପାଞ୍ଚଳ ପ୍ରବେଶ ପଥରେ ସମସ୍ୟା ବଢ଼ାଉଛି ଜବରଦଖଲ : ସଂଧ୍ୟା ସମୟରେ ଅଣାୟତ୍ତ ପରିସ୍ଥିତି, ବୋଝ ଉପରେ ନଳିତା ବିଡ଼ା ଭଳି ଅସରାଏ ବର୍ଷାରେ ରାସ୍ତାରେ ଲହଡ଼ି ଭାଙ୍ଗୁଛି ଆଣ୍ଠୁଏ ଆଣ୍ଠୁଏ ପାଣି

147

କନକ ବ୍ୟୁରୋ : ଓଡ଼ିଶାର ସର୍ବବୃହତ ମଲ୍‌ ଏସ୍‌ପ୍ଲାନେଡ୍‌ ୱାନ୍‌ ସମ୍ମୁଖ ରାସ୍ତ‌ା ବର୍ତ୍ତମାନ ସହରବାସୀଙ୍କ ପାଇଁ ଦୁଃଖର କାରଣ ହୋଇଛି । ରସୁଲଗଡ଼ ଶିଳ୍ପାଞ୍ଚଳକୁ ପ୍ରବେଶ କରିବା ଠିକ୍‌ ପୂର୍ବରୁ ଜବରଦଖଲ, ବେଆଇନ୍‌ ପାର୍କିଂ ଓ ଟ୍ରାଫିକ୍‌ ଅବ୍ୟବସ୍ଥା ଯୋଗୁଁ ଏହି ରାସ୍ତାରେ ଅହରହ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି । ମଲ୍‌କୁ ପ୍ରତିଦିନ ଶହ ଶହ ଲୋକଙ୍କ ଯାତାୟ‌‌‌ତ ଲାଗି ରହୁଥିବା ବେଳେ ସଂଧ୍ୟା ସମୟରେ ଏଠାରେ ଅଣାୟତ୍ତ ପରିସ୍ଥିତି ସୃଷ୍ଟି ହେଉଛି । ଏସବୁ ସମସ୍ୟା ନିତିଦିନିଆ ହୋଇ ଗଲାଣି । ‌ସେଥିରେ ପୁଣି ବୋଝ ଉପରେ ନଳିତା ବିଡ଼ା ଭଳି ଅସରାଏ ବର୍ଷାରେ ଏହି ରାସ୍ତାରେ ଆଣ୍ଠୁଏ ପାଣି ଲହଡ଼ି ଭାଙ୍ଗୁଛି । ଗତ ବୁଧବାର ରାତିର ଅସରାଏ ବର୍ଷା ହୋଇଥିଲା, ଯାହାର ଫଳ ସ୍ବରୂପ ୩ ଦିନ ପରେ ବି ସେହି ରାସ୍ତାରେ ପାଣି ଜମି ରହିବା ସହ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଫଳରେ ‌ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଦୀର୍ଘ ଦିନ ଧରି ଏହି ସମସ୍ୟା ଲାଗି ରହିଥିଲେ ବି ପୂର୍ତ୍ତ ବିଭାଗର ନିଦ ଭାଙ୍ଗୁନି ।

ଶ୍ରୀ ମାର୍ବଲର୍ସଠାରୁ ଆରମ୍ଭ କରି ରସୁଲଗଡ଼ ଶିଳ୍ପାଞ୍ଚଳର ପ୍ରବେଶ ପଥ ଓ ସେଠାରୁ ହନୁମାନ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ବର୍ଷା ଦିନରେ ତ’ ଦୂରେ ଥାଉ ଅଦିନିଆ ଅସରାଏ ବର୍ଷାରେ ବି ଜଳମଗ୍ନ ହୋଇ ରହୁଛି । ଗତ ୫ ବର୍ଷରୁ ଊର୍ଧ୍ବ ସମୟ ଧରି ଏହି ସମସ୍ୟା ଲାଗି ରହିଥିଲେ ବି ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ବିଭିନ୍ନ ସମୟରେ ବିଏମ୍‌ସି ଓ ପୂର୍ତ୍ତ ବିଭାଗର ଅଧିକାରୀମାନେ ଏହି ସ୍ଥାନ ପରିଦର୍ଶନ କରି ସମସ୍ୟାର ସ୍ଥାୟୀ ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ଯୋଗ୍ୟ ଯନ୍ତ୍ରୀମାନେ ଏହାର ସମାଧାନର ବାଟ ବାହାର କରିପାରୁ ନାହାନ୍ତି । ସହରର ଏକ ପ୍ରମୁଖ ରାସ୍ତାକୁ ଅତ୍ୟନ୍ତ ବେପରୱା ଢଙ୍ଗରେ ଅବ୍ୟବସ୍ଥିତ କରି ଛାଡ଼ି ଦେଇଛନ୍ତି । ପୁଣି ଶିଳ୍ପାଞ୍ଚଳର ପ୍ରବେଶ ପଥ ରାସ୍ତାରେ ଖାଲଢିପ ଲୋକଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଦେଉଛି । ଏଥି ପାଇଁ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷେ ରସୁଲଗଡ଼ ଶିଳ୍ପାଞ୍ଚଳ ମଧ୍ୟରେ ଛୋଟ ବଡ଼ ପ୍ରାୟ ୯୦ଟି ଶିଳ୍ପ ପ୍ରତିଷ୍ଠାନ ଥିବା ବେଳେ ଏହା ମଧ୍ୟରେ ବାଣୀବିହାର ରେଳ‌ଷ୍ଟେସନ ମଧ୍ୟ ରହିଛି। ଫଳରେ ପ୍ରତିଦିନ ହଜାର ହଜାର ଲୋକ ରସୁଲଗଡ଼ ଶିଳ୍ପାଞ୍ଚଳ ପ୍ରବେଶ ପଥ ଦେଇ ଯା’ ଆସ କରନ୍ତି । ପୁଣି ମଲ୍‌ର ପ୍ରସ୍ଥାନ ପଥ ଓ କୋଚିଲେଇ ହାଟର ଯିବାକୁ ଅନେକ ଲୋକ ଏହି ରାସ୍ତା ଉପରେ ନିର୍ଭରଶୀଳ ଥିବା ବେଳେ ଅନବରତ ଏହି ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ବି ଲାଗି ରହୁଛି। ଦୀର୍ଘ ଦିନ ଧରି ଏହି ସମସ୍ୟା ଲାଗି ରହୁଥିଲେ ମଧ୍ୟ ଏନେଇ ଟ୍ରାଫିକ୍‌ ପୁଲିସ ପକ୍ଷରୁ ସେମିତି କିଛି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ଅଧିକାଂଶ ସମୟରେ ଛକ ଉପରେ ଟ୍ରାଫିକ୍‌ ପୁଲିସଙ୍କ ଦେଖା ମିଳୁ ନାହିଁ । ପୁଣି ପ୍ରାୟ ସମୟରେ ରସୁଲଗଡ଼ ଶିଳ୍ପାଞ୍ଚଳ ସଂଲଗ୍ନ ରାସ୍ତାରେ ମନ ଇଚ୍ଛ‌ା ଗାଡ଼ି ପାର୍କିଂ ହେଉଥିବା‌ ବେଳେ ବସ୍‌ ଓ ଅଟୋଚାଳକମାନେ ରାସ୍ତା ଉପରେ ଗାଡ଼ି ରଖି ଯାତ୍ରୀ ଓହ୍ଲାଉଛନ୍ତି । ଫଳରେ ଟ୍ରାଫିକ୍‌ ଜାମ୍‌ ଗୁରୁତର ରୂପ ନେଉଛି । ବିଶେଷ କରି ଶନି ଓ ରବିବାର ତଥା ଛୁଟି ଦିନଗୁଡ଼ିକରେ ଟ୍ରାଫିକ୍‌ ସମସ୍ୟା ସବୁଠାରୁ ଅଧିକ ଦେଖାଯାଏ ।

ଏନେଇ ଡିଭିଜନ୍‌-୧ ନିର୍ବାହୀ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ, ଦୀର୍ଘ ଦିନ ଧରି ଏହି ଅସୁବିଧା ଲାଗି ରହିଛି। ସ୍ଥିତିରେ ସୁଧାର ଆଣିବା ଲାଗି ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ତ୍ବରିତ ବେଗରେ ଚାଲିଛି। କିନ୍ତୁ ଏସ୍‌ପ୍ଲାନେଡ୍‌ ମଲ୍‌ ନିକଟବର୍ତ୍ତୀ ଅଞ୍ଚଳରେ କିଛି ସ୍ଥାନ ଏପରିକି ଡ୍ରେନ୍‌ ଉପରେ ଜବରଦଖଲ ଯୋଗୁଁ ଡ୍ରେନ୍‌ ନିର୍ମାଣ ବିଳମ୍ବ ହେଉଛି। ଏହି ସବୁ ସମସ୍ୟାର ସାମାଧାନ କରି ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ଖୁବ୍‌ ଶୀଘ୍ର ଶେଷ କରାଯିବ ବୋଲି ସେ କହିଛନ୍ତି ।