କନକ ବ୍ୟୁରୋ : ଭୁବନେଶ୍ୱର ଟଙ୍କପାଣି ରୋଡରେ ଡବଲ ଏନକାଉଣ୍ଟର ପରେ ପୁଲିସର ବଡ ଖୁଲାସା । ରସୁଲଗଡ ତୃପ୍ତି ଢାବା ମାଲିକ ବୁଲୁ ସାମନ୍ତରାୟଙ୍କ ଆକ୍ରମଣ ଘଟଣାରେ ଏହି ଦୁଇ ଅପରାଧୀଙ୍କ ସଂପୃକ୍ତି ରହିଥିବା ପୁଲିସ କହିିଛି । ମଂଚେଶ୍ୱର ପୁଲିସ ଗୁଳିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ହୋଇଛନ୍ତି । ଅପରାଧ ଘଟାଇବାକୁ ଯୋଜନା କରୁଥିବା ସମୟରେ ଦୁଇ ଅପରାଧୀ ପୋଡା ଅରୁଣ କୁମାର ମଲ୍ଲିକ୍ ଓ ବିବେକାନନ୍ଦ ନାୟକଙ୍କୁ ଗୁଳି କରାଯାଇଛି । ଗତ ୩୦ ତାରିଖରେ ତୃପ୍ତି ଢାବା ମାଲିକ ରାତି ୧୨ଟାରେ ଘରକୁ ଫେରୁଥିବା ବେଳେ ଦୁଇ ଅପରାଧୀ ତାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିବା ସହ ସୁନା ଓ ଟଙ୍କା ଲୁଟି ନେଇଥିଲେ ।

Advertisment

ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେବା ସହ ରାସ୍ତାରୋକ କରିଥିଲେ । ଖୁବ ଶୀଘ୍ର ଅପରାଧୀଙ୍କୁ ଗିରଫ କରିବାକୁ ଦାବି କରିଥିଲେ ଲୋକେ । ସେପଟେ ଏହି ଦୁଇ ଅପରାଧୀ ଅପରାଧ ଘଟାଇବା ପାଇଁ କିଛି ଷଡଯନ୍ତ୍ର କରୁଥିବାର ଖବର ପାଇ ଘଟଣାସ୍ଥଳରେ ଘେରାଉ କରିଥିଲା ମଂଚେଶ୍ୱର ଥାନା ପୋଲିସ୍ । ପୋଲିସକୁ ଦେଖି ସେମାନଙ୍କ ଉପରକୁ ଗୁଳିମାଡ କରିଥିଲେ ଦୁର୍ବୃତ୍ତ । ଏହାର ଜବାବରେ ଗୁଳିମାଡ କରିଥିଲା ପୋଲିସ୍ ଟିମ୍ ।

ପୋଲିସର ପ୍ରତି ଆକ୍ରମଣରେ ଉଭୟଙ୍କ ଗୋଡରେ ଗୁଳି ବାଜି ଆହତ ହୋଇଥିଲେ । ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ଏବଂ ଘଟଣାସ୍ଥଳରେ ଫୋରେସିକ ଟିମ୍ ପହଁଚି ଛାନଭିନ ଆରମ୍ଭ କରିଛି । ଭୁବନେଶ୍ୱରରେ ଲଗାତାର ଲୁଟେରାଙ୍କ ଆତଙ୍କ ବଢ଼ିଚାଲିଥିବାରୁ ଏହାକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଲୋକଙ୍କ ଅସନ୍ତୋଷକୁ ନଜରରେ ରଖି ଆକ୍ସନମୋଡକୁ ଆସିଛି ରାଜଧାନୀ ପୋଲିସ୍ ।