ଜେଲରେ ବନ୍ଦୀ ବଳାତ୍କାରୀ ବାବାଙ୍କ ଅଡିଓ କ୍ଲିପ୍ ଭାଇରାଲ ! ବାବା କହିଲେ କଷ୍ଟକର ସମୟ ସାମୟିକ, ଖୁବ୍ ଶୀଘ୍ର ଫେରିବ ଭଲଦିନ

58

କନକ ବ୍ୟୁରୋ : ଜେଲରେ ବନ୍ଦୀ ବଳାତ୍କାରୀ ବାବା ଆଶାରାମ ବାପୁଙ୍କ ଏକ ଅଡିଓ କ୍ଲିପ ଭାଇରାଲ ହୋଇଛି । ଯେଉଁଥିପାଇଁ ଯୋଧପୁର ଜେଲ କର୍ତ୍ତୃପକ୍ଷଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି । ନାବାଳିକା ବଳାତ୍କାର ମାମଲାରେ ଯୋଧପୁର କେନ୍ଦ୍ରୀୟ କାରାଗାରରେ ଆଜୀବନ ସଜା ଭୋଗୁଥିବା ଆଶାରାମ ବାପୁଙ୍କ ଅଡିଓ କିଭଳି ପଦାକୁ ଆସିଲା ତାକୁ ନେଇ ଉଠିଛି ପ୍ରଶ୍ନ । ଏହି ଅଡିଓରେ ବାବା ତାଙ୍କ ସମର୍ଥକଙ୍କୁ କହୁଛନ୍ତି ଯେ ତାଙ୍କ ଜେଲ ରହଣୀ ସାମୟିକ ଏବଂ ଅଚ୍ଛେ ଦିନ ଆୟେଙ୍ଗେ, ଅର୍ଥାତ ପୁଣି ଭଲଦିନ ଫେରିଆସିବ ।

ଏହି ପ୍ରସଙ୍ଗରେ ସଫେଇ ରଖିଛନ୍ତି ଜେଲ କର୍ତ୍ତୃପକ୍ଷ । ଆଉ କହିଛନ୍ତି ଯେ, ବାପୁ ଅହମ୍ମଦାବାଦରେ ଥିବା ତାଙ୍କର ଜଣେ ଭକ୍ତଙ୍କୁ ଫୋନ କରିଥିଲେ ଏବଂ ତାଙ୍କସହ କଥାହେଲା ବେଳେ ଏହି ଅଡିଓକୁ ରେକର୍ଡ କରାଯାଇପାରିଥାଏ । ଅଡିଓରେ ବାପୁ ପୁଣି କହୁଛନ୍ତି ଯେ, ୨୭ ତାରିଖ ସଂଧ୍ୟା ୭ଟାର ତାଜା ବୁଲେଟିନକୁ ସବୁ ଆଶ୍ରମରେ ପହଂଚାଇଦିଅ । ସେହିପରି ପ୍ରଥମେ ଦୁଇ ସହଯୋଗୀ ଶିଳ୍ପୀ ଓ ଶରତଙ୍କୁ ଜେଲରୁ ଖଲାସ କରିବା ପାଇଁ ଉଦ୍ୟମ କରିବାକୁ ସମର୍ଥକମାନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ।

asharam

ସୂଚନାଯୋଗ୍ୟ ଗତ ୨୫ ତାରିଖ ଦିନ ୫ବର୍ଷ ତଳର ନାବାଳିକା ବଳାତ୍କାର ମାମଲାରେ ଯେତେବେଳେ ଆତ୍ମଘୋଷିତ ବାବା ଆଶାରାମ ବାପୁକୁ ଜଜ୍ ଦୋଷୀ ସାବ୍ୟସ୍ତ କଲେ, କିଛି ସମୟ ପାଇଁ ସେ ଗମ୍ଭୀର ହୋଇଯାଇଥିଲେ । ରାମନାମ ଜପିଥିଲେ ଆଉ ଅଚାନକ ନାଟକୀୟ ଭାବେ ଜୋରରେ ହସିବାକୁ ଲାଗିଲେ । ସବୁପକ୍ଷର ଓକିଲଙ୍କ ଯୁକ୍ତି ଶୁଣିବା ପରେ ଜଜ୍ ମଧୁସୂଦନ ଶର୍ମା ଶୁଣାଇଥିଲେ ସଜା । ଜଣେ ନାବାଳିକାଙ୍କ ସହ ବାବା କରିଥିବା ଅପକର୍ମ ପାଇଁ ସର୍ବାଧିକ ଆଜୀବନ ଜେଲ ଦଣ୍ଡାଦେଶ କଲେ କୋର୍ଟ । ଆଉ କୋର୍ଟଙ୍କ ରାୟ ଶୁଣିବା ପରେ ହତାଶ ବାବା ହଠାତ କୋର୍ଟରୁମରେ ଜୋରଜୋରରେ କାନ୍ଦିବାକୁ ଲାଗିଲେ । ନିଜ କୁକର୍ମ ପାଇଁ ପଶ୍ଚାତାପ କରୁଥିଲେ ଏହି ଛଦ୍ମବେଶୀ ବାବା । ଧୋବଧାଉଳିଆ ପୋଷାକ ପିନ୍ଧି, ମୁହଁରେ ରାମନାମ ଜପି ଆଶ୍ରମ ଆଳରେ ନିଜ ଅପକର୍ମକୁ ଚରିତାର୍ଥ କରୁଥିବା ଏହି ଆତ୍ମଘୋଷିତ ବାବା ଆଶାରାମଙ୍କୁ ୨୧୦୩ ସେପ୍ଟେମ୍ବରରେ ଇନ୍ଦୋରରୁ ଗିରଫ କରି ଯୋଧପୁର କେନ୍ଦ୍ରୀୟ କାରାଗାରରେ ରଖାଯାଇଥିଲା । ଆଉ କୋର୍ଟଙ୍କ ରାୟପରେ ତାଙ୍କ ବାକିତକ ଜୀବନ ବି ଜେଲର କାଳକୋଠରୀରେ କଟିବାକୁ ଯାଉଛି ।