ନିୟମଗିରିକୁ ନୂଆ ରାସ୍ତା ! ଲାଲବାହିନୀର ନାଲି ଆଖିକୁ ବେଖାତିର କରି ନିଜ ଶ୍ରମରେ ରାସ୍ତା ନିର୍ମାଣ କଲେ ଡଙ୍ଗରିଆ କନ୍ଧ

32

କନକ ବ୍ୟୁରୋ : ନିୟମଗିରି ପାହାଡ ଉପରେ ଗଡିବ ଗାଡି । ଆଉ ଡାକ୍ତରଖାନାରେ ପହଂଚିବା ଆଗରୁ ରାସ୍ତାରେ ସନ୍ତାନ ପ୍ରସବ କରିବେ ନାହିଁ ପ୍ରସୂତି । କାରଣ ନିଜ ଅଂଚଳରେ ମାଓ ଧମକକୁ ଖାତିର ନକରି ରାସ୍ତା ତିଆରି କରିଛନ୍ତି ଡଙ୍ଗରିଆ କନ୍ଧ ।

ନିୟମଗିରି ପାହାଡ଼ ଦେଇ ରାସ୍ତା ତିଆରି କରିବା ପାଇଁ ବିଫଳ ହୋଇଥିଲେ ସରକାରଙ୍କ ପୂର୍ତ୍ତ ବିଭାଗ । ବର୍ଷ ବର୍ଷ ଧରି ଯାହା କରିପାରିନି ପ୍ରଶାସନ ତାହା କରି ଦେଖାଇଛନ୍ତି ଡଙ୍ଗରିଆ । ମାଓବାଦୀଙ୍କ ନାଲି ଆଖିକୁ ଖାତିର ନକରି ରାୟଗଡାର ନିୟମଗିରି ପାହାଡର ଛାତି ଉପରେ ରାସ୍ତା ନିର୍ମାଣରେ ଲାଗିଛନ୍ତି ଡଙ୍ଗରିଆ ଜନଜାତିର ଉଭୟ ମହିଳା ପୁରୁଷ । ସପ୍ତାହେ ହେବ କୋଡି କୋଦାଳ ଧରି ରାସ୍ତାକାମରେ ଲାଗିଛନ୍ତି ସେମାନେ ।

ସମସ୍ତେ ନିୟମଗିରି ପାହାଡ ଉପରେ ରହୁଥିବା ପାର୍ସାଲି ପଂଚାୟତ ପାରାମାଳି ଗାଁର ଡଙ୍ଗରିଆ । ଗାଁକୁ ରାସ୍ତାଟିଏ ନଥିବାରୁ ବହୁ ଅସୁବିଧା ଭୋଗିବା ପରେ ସୁସ୍ଥ ପରମ୍ପରା ସୃଷ୍ଟି କରିବା ପାଇଁ ଆଗେଇ ଆସିଛନ୍ତି । ଲାଲବାହିନୀ କବଜାରେ ଥିବା ଏ ଅଂଚଳରେ ବିକାଶର ଗତିରୋଧ କରୁଛନ୍ତି ମାଓବାଦୀ । ତେଣୁ ପ୍ରଶାସନ ରାସ୍ତା କାମ କରିବାକୁ ଚାହୁଁଥିଲେ ସୁଦ୍ଧା ପାରୁନାହିଁ । ତେଣୁ ନିଜ ଶ୍ରମରେ ରାସ୍ତା ନିର୍ମାଣ କରିଛନ୍ତି ଡଙ୍ଗରିଆ । ନିୟମଗିରି ପାହାଡିଆ ଅଂଚଳରେ ରହୁଥିବା କୌଣସି ଗାଁକୁ ଭଲ ରାସ୍ତାଟିଏ ନାହିଁ । ଫଳରେ ଏଠାକାର ଡଙ୍ଗରିଆ କନ୍ଧ ସମସ୍ତ ସର୍ବନିମ୍ନ ମୌଳିକ ସୁବିଧାରୁ ବଂଚିତ ।