ଉପକୂଳର ଅପହଞ୍ଚ ଇଲାକା : ଜଟଣୀ ବ୍ଲକ ବେଣାପଞ୍ଜରୀ ପଂଚାୟତର ୧୦ ଟି ଗାଁକୁ ଯିବା ଆସିବାର ଏକମାତ୍ର ମାଧ୍ୟମ ସାଜିଛି ଡଙ୍ଗା

560

କନକ ବ୍ୟୁରୋ : ଉପକୂଳର ଅପହଞ୍ଚ ଇଲାକା । ଜଟଣୀ ବ୍ଲକ ବେଣାପଞ୍ଜରୀ ପଂଚାୟତର ୧୦ ଟି ଗାଁକୁ ଯିବା ଆସିବାର ଏକମାତ୍ର ମାଧ୍ୟମ ସାଜିଛି ଡଙ୍ଗା  । ବର୍ଷେ କି ଦୁଇ ବର୍ଷ ନୁହେଁ, ବର୍ଷ ବର୍ଷ ଧରି ଡଙ୍ଗାକୁ ଭରସା କରି ଯିବାଆସିବା କରୁଛନ୍ତି ଲୋକେ । ଲୋକମାନଙ୍କ ପାଇଁ ଡଙ୍ଗା ଯୋଗାଯୋଗର ଏକମାତ୍ର ସାହାରା ପାଲିଟିଛି ।  ଖୋର୍ଦ୍ଧା ଜିଲ୍ଳାର ସଦରମହକୁମାଠାରୁ ମାତ୍ର ୧୫ କିଲୋମିଟର ଦୂରରେ ଏହି ଅଂଚଳ ରହିଥିଲେ ମଧ୍ୟ  ପ୍ରତିଦିନ ଛାତ୍ରଛାତ୍ରୀମାନେ ପାଠ ପଢ଼ିବାକୁ ସ୍କୁଲ ଓ କଲେଜ ଯାଆନ୍ତୁ କି କେହି ରୋଗୀ ମେଡିକାଲ ଯିବାକୁ ହେଲେ ଡଙ୍ଗା ଉପରେ ଭରସା କରିଥାନ୍ତି ।

ଏହି ଅଞ୍ଚଳରେ କିଛି ଦିନ ପୂର୍ବରୁ ହୋଇଥିବା ବନ୍ୟାରେ ସ୍କୁଲ ଘର ସମ୍ପୂର୍ଣ୍ଣ ବୁଡ଼ିଯିବା ସହ ଆସବାବପତ୍ର ସବୁ ଭାସିଯାଇଥିଲା । ଡଙ୍ଗାରେ ନିତି ଯିବାଆସିବା କରୁଥିବା ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟତ୍ରୀ ଓ ଲୋକେ ବିଭିନ୍ନ ଅସୁବିଧା ଭୋଗୁଛନ୍ତି । ମୁଖ୍ୟରାସ୍ତାକୁ ଆସିବାରେ ବାଧକ ସାଜିଛି ଦୟା ନଦୀ ।  ତେଣୁ ବାହ୍ୟ ଜଗତରୁ ଏକ ପ୍ରକାର ବିଛିନ୍ନ ହୋଇ ରହିଛି ଉପକୂଳର ଏହି ସବୁ ଗାଁ  । ଅନ୍ୟପଟେ ଦୀର୍ଘ ଦିନ ହେବ ଦୟା ନଦୀ ଉପରେ ଏକ ବ୍ରିଜ୍ ନିର୍ମାଣ ପାଇଁ ଦାବି ହେଉଥିଲେ ମଧ୍ୟ ଏହା ପୂରଣ ହୋଇ ନାହିଁ ।