ପରିଣତ ବୟସରେ ପଦ୍ମଶ୍ରୀଙ୍କ ସଂଘର୍ଷମୟ ଜୀବନ : ଚାଳ କୁଡିଆରେ ବିତୁଛି ଗାୟକ ଜିତେନ୍ଦ୍ରୀୟ ହରିପାଲଙ୍କ ଜୀବନ, ଗୀତରେ ଗୀତରେ ବଖାଣିଲେ ନିଜ ଜୀବନ କାହାଣୀ

162

କନକ ବ୍ୟୁରୋ : ପ୍ରସିଦ୍ଧ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଡ଼.ଜିତେନ୍ଦ୍ରୀୟ ହରିପାଲ । ଯାହାଙ୍କର ଗୀତ ଶୁଣି ସମଗ୍ର ବିଶ୍ୱ ନାଚି ଉଠେ, ସେହି କଣ୍ଠଶିଳ୍ପୀ ଆଜି ଆର୍ଥିକ ଅନାଟନ ଭିତରେ ପେଷି ହେଉଛନ୍ତି । ଗୋଟିଏ କୁଡିଆ ଭିତରେ ପୁରା ପରିବାର ରହୁଛନ୍ତି । ପଦ୍ମଶ୍ରୀ ଡ଼.ଜିତେନ୍ଦ୍ରୀୟ ହରିପାଲ ବିଭିନ୍ନ ଜାଗାକୁ ଯାଇ ଗୀତ ପରିବେଷଣ କରି ରୋଜଗାର କରୁଥିବା ଅର୍ଥରେ ହିଁ ପରିବାର ଚଳୁଛି । ତଥାପି ସ୍ୱାଭିମାନର ସହ ବଂଚିବା ପାଇଁ ପରିଣତ ବୟସରେ ଚେଷ୍ଟା ଜାରି ରଖିଛନ୍ତି ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲ୍ ।

ରଙ୍ଗବତୀ ଗୀତ.. ଏହି ଗୀତ ଶୁଣିଲେ ପାଦ ଅଥୟ ହୁଏ । ଏହି ଲୋକଗୀତ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ବେଳେ ଏହାକୁ ଗାଇଥିବା କଣ୍ଠଶିଳ୍ପୀ ଜିତେନ୍ଦ୍ରୀୟ ହରିପାଲ ପଦ୍ମଶ୍ରୀରେ ସମ୍ମାନିତ ହୋଇଛନ୍ତି । ତେବେ ତାଙ୍କ ସଂଘର୍ଷର କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ଲୁହ ଜକେଇ ଆସିବ । ତାଙ୍କ ଘର ଦେଖିଲେ ଆପଣ ଭାବିବାକୁ ବାଧ୍ୟ ହେବେ ଯେ, ସତରେ କଣ ଏହା ଜଣେ ପଦ୍ମଶ୍ରୀଙ୍କ କୁଡିଆ ।

ଜମି ବାଡି ନାହିଁ । କୁଡିଆ ଘରେ ରହୁଛନ୍ତି ପଦ୍ମଶ୍ରୀଙ୍କ ପୁରା ପରିବାର । ଘରେ ଟାଙ୍ଗିବାକୁ ଜାଗା ନଥିବାରୁ ଆଜି ବି ଡବାରେ ପଶି ରହିଛି ପଦ୍ମଶ୍ରୀ ମାନପତ୍ର । ଆଉ ପରିଣତ ବୟସରେ ବି ସ୍ୱାଭିମାନର ସହ ବଂଚିବା ପାଇଁ ଲୋକଗୀତ ଗାଇ ଲୋକଙ୍କ ମନୋରଂଜନ କରୁଛନ୍ତି । ଆଉ ସେଥିରୁ ମିଳୁଥିବା ଅର୍ଥରେ ସ୍ତ୍ରୀ, ଦୁଇ ପୁଅ ଦୁଇ ବୋହୂ ନାତି ନାତୁଣିଙ୍କ ମୁହଁରେ ଆହାର ଦେଉଛନ୍ତି ।

ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲଙ୍କ ଦୁଃଖ ଯେମିତି ଅସରନ୍ତି । ବଡ ପୁଅ ଭଡାରେ ଅଟୋ ଚଳାନ୍ତି । ମଝିଆ ପୁଅ ୨୦୧୦ରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ସାନ ପୁଅ ୨୦୧୫ରେ ଏକ ଦୁର୍ଘଟଣାରେ ଗୋଟିଏ ଗୋଡ ହରାଇ ଭିନ୍ନକ୍ଷମ ହୋଇଯାଇଛନ୍ତି । ବଡ ପୁଅଙ୍କ ରୋଜଗାର ପଇସାରେ ପରିବାର ଚଳିବା ଅସମ୍ଭବ । ଅନ୍ୟକୁ ହସ ଖୁସି ବାଂଟୁଥିବା ମଣିଷ, ନିଜ ଜୀବନ କିନ୍ତୁ ବହୁ ଦୁଃଖରେ କାଟିଥାଏ । ନିଜେ କାନ୍ଦେ ଅନ୍ୟକୁ ହସାଏ, ତାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲ ।