ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ପାସଫେଲ୍ ନିଷ୍ପତ୍ତିକୁ ବିରୋଧ : ରମାଦେବୀ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଲେ ଛାତ୍ରୀ, ନିଷ୍ପତ୍ତି ବଦଳାଇବାକୁ ଦାବି 

340

କନକ ବ୍ୟୁରୋ : ଯୁକ୍ତ ପ୍ରଥମ ବର୍ଷ ପରୀକ୍ଷା କଡାକଡି କରାଯିବା ଲାଗି ନିଷ୍ପତିକୁ ନେଇ ତେଜିଲା ବିରୋଧ । ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ । ଆଜି ରମାଦେବୀ ବିଶ୍ୱିବିଦ୍ୟାଳୟ ଫାଟକରେ ତାଲା ପକାଇଛନ୍ତି +୨ ପ୍ରଥମ ବର୍ଷର ଛାତ୍ରୀ ।  ବିଶ୍ୱବିଦ୍ୟାଳୟ ସମ୍ମୁଖ ରାସ୍ତାକୁ ଅବରୋଧ କରିବା ସହ ନିଷ୍ପତିକୁ ବାତିଲ କରିବାକୁ ଦାବି କରିଛନ୍ତି । ଆନ୍ଦୋଳନ ରତ ଛାତ୍ରୀମାନେ କହିଛନ୍ତି ଯଦି ସରକାର ଏଭଳି ନିଷ୍ପତି ନେବାର ଥିଲା ତେବେ ପରୀକ୍ଷାର ମାସେ ପୂର୍ବରୁ କାହିଁକି ନେଲେ । ୬ ମାସ ଆଗରୁ ଏଭଳି ନିଷ୍ପତ୍ତି ନେଇଥିଲେ କିଛି ଅସୁବିଧା ନଥିଲା ।

ଫେବୃଆରୀ ମାସରେ ପରୀକ୍ଷା ହେବାକୁ ଥିବାବେଳେ ହଠାତ୍ ଜାନୁଆରୀରୁ ଏମିତି ଘୋଷଣା କରିବା ଠିକ୍ ନୁହେଁ ।  ଯଦି ଏହି ନିଷ୍ପତିକୁ ସରକାର ଲାଗୁ କରିବାକୁ ଚାହୁଁଛନ୍ତି ତେବେ ସରକାର ଏପ୍ରିଲ ମାସରେ ପ୍ରଥମ ବର୍ଷ ପରୀକ୍ଷା କରନ୍ତୁ । ଏପର୍ଯ୍ୟନ୍ତ ପ୍ରଥମ ବର୍ଷର ପାଠପଢ଼ା ଶେଷ ହୋଇ ନାହିଁ ।  ଚଳିତ ବର୍ଷଠାରୁ +୨ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ୩୩ ପ୍ରତିଶତ ମାର୍କ ନରଖିଲେ ଦ୍ୱିତୀୟ ବର୍ଷକୁ ଯାଇପାରିବେ ନାହିଁ ବୋଲି ଗତ ୧୪ ତାରିଖରେ ଘୋଷଣା କରିଥିଲେ ଗଣଶିକ୍ଷା ମନ୍ତ୍ରୀ ।

ଏଥିପାଇଁ ପିଲାମାନଙ୍କୁ ଦୁଇଟି ସୁଯୋଗ ଦେବାକୁ କହିଥିଲେ ମନ୍ତ୍ରୀ । କିନ୍ତୁ ଏହାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ ପିଲାମାନଙ୍କୁ ଫେଲ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ  । କିଭଳି ଭଲ ପାଠ ପଢ଼ିବେ ସେ ନେଇ ସରକାର ଚିନ୍ତା କରୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ।