ରମାଦେବୀ ଝିଅଙ୍କୁ ସଜାଇଲେ ଦେହଜୀବି ! ଫେସବୁକରେ କଲେଜ ଛାତ୍ରୀଙ୍କୁ ଦିଆଗଲା କଲଗର୍ଲର ଆଖ୍ୟା

56

କନକ ବ୍ୟୁରୋ : ରମାଦେବୀ ଛାତ୍ରୀ ସାଜିଲେ ଦେହଜୀବୀ । ସତରେ ନୁହେଁ ସୋସିଆଲ ମିଡିଆରେ । ଦଲାଲର ଲୋଲୁପ ଦୃଷ୍ଟିରେ କଲେଜ ଛାତ୍ରୀ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀମାନଙ୍କ କିଛି ଏପରିି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବିଭିନ୍ନ ସମୟରେ ଛାତ୍ରୀମାନେ ଅପଲୋଡ କରିଥିବା ଫଟୋକୁ ନେଇ ତାଙ୍କୁ ଦେହଜୀବୀ ଭାବେ ଚିତ୍ରଣ କରାଯାଇଛି । ଏନେଇ ଛାତ୍ରୀମାନେ ସହୀଦ ନଗର ଥାନାରେ ଅଭିଯୋଗ କରିଛନ୍ତି ।

ଆଉ ଆଇଟି ଆକ୍ଟରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ କିଏ ଓ କାହିଁକି ଏଭଳି କାରନାମା କରିଛି ସେନେଇ କାରଣ ଖୋଜୁଛି ପୋଲିସ । ଆରୋହି କ୍ରିଏସନ ପେଜରେ ରମାଦେବୀ ବିଶ୍ୱବିଦ୍ୟାଳୟର ୬୦ରୁ ଅଧିକ ଛାତ୍ରୀଙ୍କ ଫଟୋ ଅପଲୋଡ ହୋଇଛି । ଏହା ସହ ସେମାନେ ଦେହଜୀବି ବୋଲି ଉଲ୍ଲେଖ ରହିଛି ।

କେବଳ ଏତିକି ନୁହେଁ ଛାତ୍ରୀଙ୍କୁ ନେଇ ଅଶ୍ଲୀଳ କମ୍ପେଂଟ ମଧ୍ୟ ପ୍ରକାଶ ପାଇଛି । କିଛିଦିନ ତଳେ କଲେଜ କ୍ୟାମ୍ପସର କିଛି ଛାତ୍ରୀ ହ୍ୱାଟସ ଆପରେ ବିୟୁଟି କଂଟେଷ୍ଟ ଗୃପ ତିଆରି କରିଥିଲେ, ଯେଉଁଥିରେ ବହୁ ଛାତ୍ରୀ ସେମାନଙ୍କ ଫଟୋ ସେୟାର କରିଥିଲେ । ତେବେ ଗ୍ରୁପ ସହ ଆରୋହି କ୍ରିଏସନ ଓ ଛାତ୍ରୀଙ୍କ ଫଟୋର କଣ ଲିଙ୍କ ରହିଛି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ପ୍ରଶ୍ନ ଉଠୁଛି
– ଛାତ୍ରୀଙ୍କ ଫଟୋ କିଭଳି ଭାଇରାଲ ହେଲା ସୋସିଆଲ ମିଡିଆରେ?
– ଆରୋହି କ୍ରିଏସନ୍ ପେଜ୍ରେ କିଏ ଏଭଳି ଫଟୋ ଅପଲୋଡ୍ କଲା?
– ହ୍ୱାଟ୍ସଆପ ଗ୍ରୁପ୍ରୁ ଫଟୋ କିଏ କଲା ଲିକ୍?
– ଛାତ୍ରୀଙ୍କୁ ଦେହଜୀବି ସଜାଇ ଫଟୋ ଭାଇରାଲ କରିବା ପଛର ଉଦ୍ଦେଶ୍ୟ କଣ?

ସୋସିଆଲ ମିଡିଆର କ୍ରେଜ୍ ସମସ୍ତଙ୍କୁ କିମିଆ କରିଛି । ହେଲେ ରମାଦେବୀ ଛାତ୍ରୀଙ୍କ ସହ ଘଟିଥିବା ଘଟଣା ରାଜଧାନୀରେ ଖେଳାଇଛି ଚାଂଚଲ୍ୟ । ପ୍ରତିଷ୍ଠିତ କଲେଜର ଛାତ୍ରୀଙ୍କ ଇଜ୍ଜତ ସହ ହୋଇଛି ଖେଳ । ଛାତ୍ରୀମାନଙ୍କ ପ୍ରତି ଅଶ୍ଲୀଳ କମେଂଟକୁ ନେଇ ସାରା ଦେଶରେ ହଟଚମଟ ଲାଗି ରହିଥିବା ବେଳେ ସାଇବର କ୍ରାଇମରେ ଅଶ୍ଲୀଳତାର କଥା ଏବେ କମିଶନରେଟ ପୋଲିସ ପାଇଁ ନୂଆ ସମସ୍ୟା ସୃଷ୍ଟି କରିଛି । ଏଣୁ ଅଭିଯୁକ୍ତଙ୍କୁ ଧରିବା ଏବେ ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ।