ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ଦୃଢ଼ୋକ୍ତି ! ପଶ୍ଚିମବଙ୍ଗରେ ସମସ୍ତ ୪୨ ସିଟ୍ ହାତେଇବ ବିଜେପି

474

କନକ ବ୍ୟୁରୋ : ଗେରୁଆ ରଙ୍ଗରେ ରଙ୍ଗେଇ ହେବ ପଶ୍ଚିମବଙ୍ଗ । ଗୃହମନ୍ତ୍ରୀ ରାଜନାଥ ସିଂ ପଶ୍ଚିମବଙ୍ଗରେ ୬ଷ୍ଠ ପର୍ଯ୍ୟାୟ ମତଦାନ ହେବା ପୂର୍ବରୁ ଏଭଳି ଦୃଢ଼ୋକ୍ତି କରିଛନ୍ତି । ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗର ସମସ୍ତ ୪୨ ଲୋକସଭା ସିଟରେ ବିଜୟ ଲାଭ କରିବ । ସମସ୍ତ ୪୨ ସିଟରେ ବିଜେପି ଜିତିବା ସହ ଭାଜପା ଲେହେରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି ବୋଲି ମଧ୍ୟ ସେ କହିଛନ୍ତି । ରାଜନାଥ ସିଂ କାଂଥୀରେ ଏକ ରାଲିରେ ସମ୍ବୋଧିତ କରିବା ସମୟରେ କହିଛନ୍ତି ମମତା ବାନାର୍ଜୀ ଓ ତାଙ୍କ ପାର୍ଟି ତୃଣମୁଳ କଂଗ୍ରେସ ଭାଜପା ଲେହେର ଯୋଗୁଁ ବିଷାଦଗ୍ରସ୍ତ ହୋଇପଡ଼ିଛିନ୍ତି । ଆଉ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଫୋନର ଉତ୍ତର ମଧ୍ୟ ଦେଉନାହାନ୍ତି । 

ରାଜନାଥ ସିଂ ଲୋକଙ୍କ ମନେ ପକାଇ ଦେଇ କହିଛନ୍ତି, ମମତା ବାନାର୍ଜୀ ଶାସନ ଗାଦି ଅକ୍ତିଆର କରିବା ପାଇଁ ଜନତାଙ୍କୁ ବିଭିନ୍ନ ଲୋଭନୀୟ ପ୍ରତିଶ୍ରୁତି ଦେଇଥିଲେ ।  ମୁଖ୍ୟମନ୍ତ୍ରୀ ହେଲେ ମା, ମାଟି ଓ ଜନତାଙ୍କ ସୁରକ୍ଷା ତାଙ୍କର ଗୁରୁତ୍ୱ ରହିବ ବୋଲି କହିଥିଲେ ।  ହେଲେ  ତାଙ୍କ ଶାସନ କାଳରେ କେହି ବି ସୁରକ୍ଷିତ ନାହାନ୍ତି । ପଶ୍ଚିମବଙ୍ଗ ସରକାର ଉପରେ ଅଭିଯୋଗ ଆଣି ରାଜନାଥ କହିଛନ୍ତି, ଦିଦିଙ୍କ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହିଗଲା । ହେଲେ ତାଙ୍କ ଶାସନ କାଳରେ କୌଣସି ବି ପ୍ରତିଶ୍ରୁତି ପାଳନ ହୋଇପାରିଲା ନାହିଁ । ଏହାବ୍ୟତୀତ ଭାରତୀୟ ଜନତା ପାର୍ଟିରୁ ଭୋଟ୍ ଦେବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି ରାଜନାଥ ସିଂ । ସୂଚନାଯୋଗ୍ୟ ୧୨ ମେରେ ଲୋକସଭା ନିର୍ବାଚନର ୬ଷ୍ଠ ପର୍ଯ୍ୟାୟରେ ପଶ୍ଚିମବଙ୍ଗ କାନ୍ଥୀରେ ମତଦାନ ହେବ ।