ରାଜସ୍ଥାନରେ ସଚିନ ପାଇଲଟଙ୍କ ଉପରେ କଂଗ୍ରେସର ବଡ଼ ଆକ୍ସନ : ଉପମୁଖ୍ୟମନ୍ତ୍ରୀ ସହ ରାଜ୍ୟ କଂଗ୍ରେସ ସଭାପତି ପଦରୁ କରାଗଲା ବିଦା, ଅନ୍ୟ ୨ ଜଣ ମନ୍ତ୍ରୀ ବି ବରଖାସ୍ତ

562

କନକ ବ୍ୟୁରୋ : ଆକ୍ସନ ମୁଡରେ କଂଗ୍ରେସ ହାଇକମାଣ୍ଡ । ରାଜସ୍ଥାନ ପିସିସି ମୁଖ୍ୟ ଏବଂ ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା ହେଲେ ସଚିନ ପାଇଲଟ । ଏନେଇ ସୂଚନା ଦେଇଛନ୍ତି କଂଗ୍ରସର ଜାତୀୟ ମୁଖପାତ୍ର ରଣଦୀପ ସୂର୍ଜେୱାଲା । ଗତ କିଛି ଦିନ ଧରି ରାଜସ୍ଥାନ କଂଗ୍ରେସରେ ଦେଖାଦେଇଥିବା ବିବାଦ ଅତି ଉଷ୍ଣ ରହିଥିଲା । ଏପରିକି ଗେହଲଟ ସରକାର ରହିବ ନା ଯିବ ତାକୁ ନେଇ ଚାଲିଥିଲା ଅଙ୍କକଷା । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟଙ୍କ ମଧ୍ୟରେ ବିବାଦ ତେଜିବା ଭିତରେ ଗତ ଦୁଇ ଦିନ ଧରି କଂଗ୍ରସ ବିଧାୟକ ଦଳ ବୈଠକ ଡାକିଥିଲା ଦଳ । ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଦ୍ୱାରା ଆହୁତ ବୈଠକରୁ ଦୂରେଇ ରହିଥିଲେ ସଚିନ ପାଇଲଟ୍ ।

କଂଗ୍ରେସର ଶୀର୍ଷ ନେତୃତ୍ୱ ମଧ୍ୟ ସଚିନ ପାଇଲଟଙ୍କ ସହ ସଂପର୍କ କରିବାକୁ ଉଦ୍ୟମ କରିଥିଲେ । ତେବେ ପାଇଲଟଙ୍କ ସହ କୌଣସି ଯୋଗାଯୋଗ ହୋଇପାରନଥିବା ସୂଚନା ରହିଛି । ଏହାରି ଭିତରେ ରାଜସ୍ଥାନ କଂଗ୍ରେସର ଟାଣୁଆ ତଥା ଯୁବ ଚେହେରା ସଚିନ ପାଇଲଟଙ୍କୁ ଦଳ ରାଜସ୍ଥାନ ପ୍ରଦେଶ କଂଗ୍ରେସ ମୁଖ୍ୟ ତଥା ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା କରିଛି କଂଗ୍ରେସ । ସଚିନ ପାଇଲଟଙ୍କ ସମର୍ଥନରେ ୩୦ ବିଧାୟକ ରହିଥିବା ତାଙ୍କର ସମର୍ଥକ ଦାବି କରିଛନ୍ତି । ଏପରି ସ୍ଥିତିରେ ସେପଟେ ରାଜସ୍ଥାନ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସାକ୍ଷାତ କରିଥିବା ସୂଚନା ଆସିଛି ।