ରାଜସ୍ଥାନ ରାଜନୀତି ନାଟକର ହେବ ଅନ୍ତ । ପୁଣି ଦଳକୁ ଫେରିବେ ସଚିନ୍ ପାଇଲଟ୍ ଓ ସମର୍ଥକ । ରାହୁଲ ଓ ପ୍ରିୟଙ୍କାଙ୍କୁ ଭେଟିବା ପରେ ପାଇଲଟ୍ କହିଲେ, ଲଢ଼େଇ ପଦ ପାଇଁ ନୁହେଁ, ଆତ୍ମସମ୍ମାନ ପାଇଁ । ଅଭିଯୋଗ ଦୂର ପାଇଁ ଗଠନ ହେଲା ୩ ଜଣିଆ କମିଟି ।

263

କନକ ବ୍ୟୁରୋ : ରାଜସ୍ଥାନରେ ରାଜନୀତି ନାଟକର ପଡିବ ଯବନିକା । ପୁଣି କଂଗ୍ରେସକୁ ଫେରିବେ ସଚିନ୍ ପାଇଲଟ୍ ଓ ତାଙ୍କ ସମର୍ଥକ ବିଧାୟକ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ରାଜସ୍ଥାନର ବିଦ୍ରୋହୀ ନେତା ସଚିନ୍ ପାଇଲଟ୍ ଭେଟିବା ପରେ ଏହା କୁହାଯାଉଛି । ରାଜସ୍ଥାନ ସୃଷ୍ଟି ହୋଇଥିବା ରାଜନୈତିକ ଡ୍ରାମାର ସମାଧାନ କରିବା ପାଇଁ ରାହୁଲ ଓ ପ୍ରିୟଙ୍କା ସିଧାସଳଖ ଏଂଟ୍ରି ମାରିବା ଦିନରେ ସଚିନ୍ ପାଇଲଟ ଉଭୟଙ୍କୁ ଦିଲ୍ଲୀରେ ଭେଟି ନିଜର ପକ୍ଷ ରଖିଛନ୍ତି ।

ସନ୍ଧ୍ୟାରେ ସଚିନ୍ ତାଙ୍କ ସମର୍ଥକ ବିଧାୟକମାନଙ୍କ ସହ ପୁଣି ପ୍ରିୟଙ୍କା ଓ କଂଗ୍ରେସର ଅନ୍ୟ ବରିଷ୍ଠ ନେତାଙ୍କୁ ଭେଟି ନିଜର ମତ ରଖିଛନ୍ତି । ଭେଟିବା ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ସମ୍ମୁଖକୁ ଆସି ମତ ରଖିଛନ୍ତି ସଚିନ୍ । କହିଛନ୍ତି ଯେଉଁମାନେ ପରିଶ୍ରମ କରି ଦଳକୁ କ୍ଷମତାକୁ ଆଣିଛନ୍ତି ସେମାନଙ୍କର ସରକାରରେ ଭାଗିଦାରୀ ରହିବା ଆବଶ୍ୟକ । ଲଢ଼ାଇ ପଦ ପାଇଁ ନୁହେଁ , ଆତ୍ମସମ୍ମାନ ପାଇଁ ଥିଲା । ଦଳ ପଦବି ଦେଇଥାଏ । ତେଣୁ ଦଳ ପଦବି ନେଇ ବି ପାରିବ । ରାହୁଲ ଓ ପ୍ରିୟଙ୍କାଙ୍କୁ ଭେଟିବା ପ୍ରସଙ୍ଗରେ କହିଛନ୍ତି, ସେ ନିଜର ଓ ଅନ୍ୟ ଅସନ୍ତୁଷ୍ଟ ବିଧାୟକମାନଙ୍କର ପକ୍ଷ ରଖିଛନ୍ତି ।

ଖୁବ୍ ଶୀଘ୍ର ଏକ ତିିନି ଜଣିଆ କମିଟି ସମସ୍ୟାର ସମାଧାନ କରିବେ ବୋଲି ତାଙ୍କୁ ପ୍ରତିଶ୍ରୁତି ଦିଆଯାଇଛି । ସେପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ସହ କଥା ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି । ସଚିନ ପାଇଲଟ୍ ବିଦ୍ରୋହ କରିବା ପରେ ଗେହଲୋଟ ସରକାର ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା ।