ରାଜ୍ୟ କୋଅପରେଟିଭି ୟୁନିୟନ ଓ ଓପୋଲୋଫେଡ଼୍ କାର୍ଯ୍ୟାଳୟକୁ ଅଚାନକ୍ ଗସ୍ତ କଲେ ସମବାୟ ମନ୍ତ୍ରୀ : ଅନୁପସ୍ଥିତ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ 

656

କନକ ବ୍ୟୁରୋ : ମ୍ୟୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ୫ଟିକୁ ଅଧିକ ଗୁରୁତ୍ୱ । ୫ଟି ମନ୍ତ୍ରକୁ ନିଷ୍ଠାର ସହ ପାଳନ କରୁଛନ୍ତି ନବୀନଙ୍କ ମନ୍ତ୍ରୀ । ଗତକାଲି ଅପରାହ୍ନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ  ଅଚାନକ୍ ଓଡ଼ିଶା ରାଜ୍ୟ କୋଅପରେଟିଭି ୟୁନିୟନ ପରିଦର୍ଶନ କରିଥିଲେ । କାର୍ଯ୍ୟାଳୟ ବୁଲି ଦେଖିବା ସହ ଉପସ୍ଥାନ ଯାଞ୍ଚ କରିଥିଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ  । ତେବେ ଗସ୍ତ ସମୟରେ ଅନେକ କର୍ମଚାରୀ ଅନୁପସ୍ଥିତ ଥିବାର ଦେଖିବାକୁ ପାଇଥିଲେ ମନ୍ତ୍ରୀ । ଅନୁପସ୍ଥିତ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ ପରିଦର୍ଶନ ସମୟରେ ୨୦୧୮-୧୯ ବର୍ଷରେ ୟୁନିୟନ୍ କି କି କାର୍ଯ୍ୟ କରିଛି ପଚାରି ବୁଝିବା ସହ ୨୦୧୯-୨୦ ବର୍ଷ ନିମନ୍ତେ କେଉଁସବୁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସେ ସଂପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ । ଏଥି ସହିତ ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ କେତେ ଅର୍ଥ ପ୍ରଦାନ କରାଯାଇଛି ଏବଂ ସେଥି ମଧ୍ୟରୁ କେତେ ବିନିଯୋଗ ହୋଇଛି ପଚାରି ବୁଝିଥିଲେ ।

ସେହିପରି ମନ୍ତ୍ରୀ ଲକ୍ଷ୍ମୀସାଗର ସ୍ଥିତ ଓପୋଲୋଫେଡ଼୍ କାର୍ଯ୍ୟାଳୟ ଗସ୍ତ କରିଥିଲେ । ଗସ୍ତ ସମୟରେ କାର୍ଯ୍ୟାଳୟରେ କର୍ମଚାରୀମାନଙ୍କ ସଂଖ୍ୟା ଓ ଉପସ୍ଥାନ ଯାଞ୍ଚ କରିଥିଲେ । ମନ୍ତ୍ରୀଙ୍କ ଗସ୍ତ ସମୟରେ କାର୍ଯ୍ୟାଳୟର ୨୬ ଜଣଙ୍କ ମଧ୍ୟରୁ ୨୩ ଜଣ କର୍ମଚାରୀ ଉପସ୍ଥିତ ଥିବାବେଳେ ୧୧ ଜଣ କର୍ମଚାରୀ ଅନୁପସ୍ଥିତ ଦେଖିଥିଲେ । କର୍ମଚାରୀଙ୍କ ଅନୁପସ୍ଥିତିକୁ ଦେଖି ଅସନ୍ତୋଷ ବ୍ୟକ୍ତ କରିଥିଲେ ମନ୍ତ୍ରୀ ।  କାର୍ଯ୍ୟାଳୟ ସମୟ ମଧ୍ୟରେ ନିୟମିତ ଉପସ୍ଥିତ ରହି କାର୍ଯ୍ୟ କରିବା ପାଇଁ ତାଗିଦ୍ କରିଥିଲେ । ଏଥି ସହିତ ରାଜ୍ୟ ସରକାରଙ୍କ ୫ ‘ଟି’ ସୂତ୍ରକୁ ନିଷ୍ଠାର ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ ।