କନକ ବ୍ୟୁରୋ : ସଂପ୍ରତି ଲଘୁଚାପଜନିତ ଲଗାଣ ବର୍ଷାରେ ପନିପରିବା ଓ ଚାଷ ଜମିରେ ପାଣି ମାଡ଼ିଯିବାରୁ ଫସଲ ନଷ୍ଟ ହୋଇପଡ଼ିଥିବା ବେଳେ ଚାଷୀ କୂଳ ହତାଶ ହୋଇପଡ଼ିଥିବା ଦେଖିବାକୁ ମିଳିଛି । ତେବେ ଦୀର୍ଘ ଏକ ମାସ ଧରି ଲଗାଣ ବର୍ଷା ଚାଷୀର କଷ୍ଟକୁ ଦ୍ବିଗୁଣିତ କରିପକାଇଛି । ଚାଷୀ ବର୍ଷାଦିନିଆ ଫସଲ ବାଇଗଣ, ଝୁଲଣ, କାକୁଡି, ପୋଟଳ, ଜହ୍ନି ଆଦି ପନିପରିବା କରିଥିଲା । ହେଲେ ପ୍ରବଳ ବର୍ଷା ଯୋଗୁ ଫସଲ କ୍ଷେତରେ ପାଣି ମାଡ଼ି ଚାରା ନଷ୍ଟ ହେବା ସାଙ୍ଗକୁ ଅମଳକ୍ଷମ ଫସଲ ଧୋଇ ନେଇଛି ।
ପନିପରିବା ଫସଲ ପାଇଁ ସରକାରୀ ସହାୟତା ନ ମିଳିବାରୁ ହଜାର ହଜାର ଟଙ୍କା ଧାର୍କରଜ କରି ଚାଷୀ ଫସଲ କରିଥିଲା । ହେଲେ ଫସଲ ଧୋଇ ଯିବାରୁ ଏବେ ଚାଷୀ ମୁଣ୍ତରେ ହାତ ଦେଇ ବସିଛି। ସେହିପରି ଅନେକ ଚାଷୀଙ୍କ ଧାନ ଫସଲ ଧୋଇ ନେଇଥିବା ଜଣାଯାଇଛି । ଅନେକ ଚାଷୀ ଅନ୍ୟନୋପାୟ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ବାହାରିଥିବା ଦେଖିବାକୁ ମିଳିଛି ।
ବିଶେଷକରି ରଣପୁର ବ୍ଲକ୍ ଅନ୍ତର୍ଗତ ବଜ୍ରକୋଟ, ବାଉଁଶଗଡ଼, ପିମ୍ପଲ, ମୟୂରଝାଲିଆ, କେରେଣ୍ତାଟାଙ୍ଗୀ, ରାଇପଡ଼ା, କାସନ୍ଦା, ସୁର୍କାବାଡ଼ି, କୁଳାସର, ବଧିପାଟଣା, ବଳଭଦ୍ରପୁର, ଗୋପଳପୁର ଆଦି ପଞ୍ଚାୟତରେ ବହୁ କ୍ଷତିଗ୍ରସ୍ତ ଚାଷୀ ଏହାର ଶିକାର ହୋଇଥିବା ଜଣାଯାଇଛି । ତେବେ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ବିଭିନ୍ନ କୃଷକ ମହଲ ପକ୍ଷରୁ ଦାବି ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/water-in-agri.jpg)