ଆଜିଠାରୁ ଉତ୍ତର ଓଡ଼ିଶାରେ କାଳବୈଶାଖୀ ଆଶଙ୍କା ! ୭ ତାରିଖରୁ ସାରା ଓଡ଼ିଶାରେ ବଢ଼ିବ ବର୍ଷା ପରିମାଣ

29

କନକ ବ୍ୟୁରୋ : ଜାରି ରହିଛି କାଳବୈଶାଖୀ ବର୍ଷା । କେତେକ ସ୍ଥାନରେ ବର୍ଷା ସାଙ୍ଗକୁ ୩୫ରୁ ୪୦ କି.ମି. ବେଗରେ ପବନ ହେଉଥିବା ଦେଖାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା ହୋଇଥିବା ବେଳେ ଶୁକ୍ରବାର ଠାରୁ ଉତ୍ତର ଓଡ଼ିଶାରେ କାଳବୈଶାଖୀ ଆଶଙ୍କା ରହିଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ବର୍ଷା ସହ ୫୦ରୁ ୬୦ କି.ମି. ବେଗରେ ପବନ ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୭ ତାରିଖଠାରୁ ସାରା ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ବର୍ଷା ପରିମାଣ ବଢ଼ିବ ।

ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନ ସମେତ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ରାୟଗଡ଼ା, କନ୍ଧମାଳ, ସୁନ୍ଦରଗଡ଼, ଅନୁଗୁଳ, ଦେବଗଡ଼, ଢେଙ୍କାନାଳ ଜିଲ୍ଲାରେ ବର୍ଷା ବଢ଼ିବ । ଘଣ୍ଟା ପ୍ରତି ୫୦ରୁ ୬୦ କି.ମି. ବେଗରେ ପବନ ହେବ । ଏନେଇ ସତର୍କ ସୂଚନା ବି ଜାରି ହୋଇଛି । ଅପରାହ୍ଣରେ ଘରୁ ପଦାକୁ ବାହାରିବା ସମୟରେ ଲୋକେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଏପ୍ରିଲ ୯ ଓ ୧୦ ତାରିଖରେ ବି ଅନୁରୂପ ଭାବେ ପାଗ ଜାରି ରହିବ। ୧୨ ତାରିଖ ଯାଏ କାଳବୈଶାଖୀର ପ୍ରଭାବ ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି ।

ପାଣିପାଗ କେନ୍ଦ୍ରର ନିର୍ଦେଶକ ଶରତ ସାହୁଙ୍କ କହିବାନୁଯାୟୀ ଏବେ ପାଗରେ ପରିବର୍ତନ ହେବ ନାହିଁ। ଝାଡ଼ଖଣ୍ଡ ଉପରେ ଘୂର୍ଣ୍ଣବଳୟ ସୃଷ୍ଟି ହୋଇଥିବାରୁ ତାହାର ପ୍ରଭାବରେ କାଳବୈଶାଖୀ ହେଉଛି । ଉପକୂଳ, ଉତ୍ତର, ଦକ୍ଷିଣ ଓ ଅଭ୍ୟନ୍ତର ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ । କିନ୍ତୁ ପଶ୍ଚିମ ଓଡ଼ିଶାରେ ତାତି ପୂର୍ବପରି ଜାରି ରହିବ । ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝରରେ ସର୍ବାଧିକ ୩୩.୨ ମି.ମି. ବର୍ଷା ହୋଇଥିବା ବେଳେ ଭୁବନେଶ୍ୱରରେ ୧୨.୪ ମି.ମି. ବର୍ଷା ହୋଇଛି । କାଳବୈଶାଖୀ ପ୍ରଭାବରେ କେତେକ ସ୍ଥାନରେ ଗଛ ଭାଙ୍ଗିପଡ଼ିଛି। ବିଦ୍ୟୁତ ସରବରାହ ବି ବ୍ୟାହତ ହୋଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଆଜି ସୋନପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରି ରହିଥିବା ବେଳେ ବଲାଙ୍ଗୀରରେ ୪୦.୭, ଟିଟିଲାଗଡ଼ରେ ୪୦.୫ ଡିଗ୍ରି ରେକର୍ଡ ହୋଇଛି ।