୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସାମାନ୍ୟ ବର୍ଷା । ଆସନ୍ତା ୨୦ ତାରିଖ ଆଡ଼କୁ ବର୍ଷା ପରିମାଣ ବଢ଼ିବା ସମ୍ଭାବନା

231

କନକ ବ୍ୟୁରୋ : ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଏହା ଜାରି ରହିବ । ଆସନ୍ତା ୨୦ ତାରିଖ ଆଡ଼କୁ ବର୍ଷା ଟିକେ ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ବାସ କହିଛନ୍ତି, ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଅଧିକ ବର୍ଷା ହେବାର ସମ୍ଭାବନା ନାହିଁ। ୧୭ ତାରିଖ ଦିନ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକର କିଛି କିଛି ସ୍ଥାନରେ ଓ ୧୮ ତାରିଖ ଦିନ ଦକ୍ଷିଣ ଉପକୂଳ ଜିଲ୍ଲାଗୁଡ଼ିକରେ ସ୍ବଳ୍ପ ବର୍ଷା ହୋଇପାରେ। କଟକ ଓ ଭୁବନେଶ୍ବରରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପାଗ ମେଘୁଆ ରହିବ। ଗତ ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁର ତେନ୍ତୁଳିଖୁଣ୍ଟିରେ ସର୍ବାଧିକ ୪୯.୦ ମିମି ବର୍ଷା ରେକର୍ଡ ହୋଇଛି।

ସେହିପରି ସୋନ୍‌ପୁରରେ ୪୪.୨ ମିମି ଓ ରାୟଗଡ଼ାର ମୁନିଗୁଡ଼ାରେ ୪୨.୦ ମିମି ବର୍ଷା ହୋଇଯାଇଛି। ୧ ଜୁନ୍‌ରୁ ୧୬ ଜୁଲାଇ ପର୍ଯ୍ୟନ୍ତ ରାଜ୍ୟରେ ୩୯୨.୯ ମିମି ବର୍ଷା ହୋଇଯାଇଛି। ସ୍ବାଭାବିକ ଏହି ସମୟ ଅବଧି ମଧ୍ୟରେ ରାଜ୍ୟରେ ୩୮୧.୧ ମିମି ହେବା କଥା। ଅର୍ଥାତ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ରାଜ୍ୟରେ ୩% ଅଧିକ ବର୍ଷା ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୪ ଜିଲ୍ଲାରେ ୨୦%ରୁ ଅଧିକ ଅତିରିକ୍ତ ବର୍ଷା ହୋଇଥିବା ବେଳେ ୨୦ଟି ଜିଲ୍ଲାରେ ସ୍ବ‌ାଭାବିକ ବ‌ର୍ଷା ହୋଇଛି। ୬ଟି ଜିଲ୍ଲା ପୁରୀ, ଖୋର୍ଧା, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ବାଲେଶ୍ବର ଜିଲ୍ଲାରେ ପ୍ରାୟ ୨୦% ନିଅଣ୍ଟିଆ ବର୍ଷା ହୋଇଥିବା ଜଣାପଡ଼ିଛି।