ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କୁଆପଥର ସହ ଝଡ଼ ବର୍ଷା ସମ୍ଭାବନା ! ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବ

56

କନକ ବ୍ୟୁରୋ : ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲା ବିଶେଷ ଭାବେ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ କୁଆପଥର ସହ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଶୁକ୍ରବାର ସୂଚନା ଦିଆଯାଇଛି । ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ ତଥା ବଜ୍ରପାତ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

 

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଦକ୍ଷିଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ତଥା ମୟୁରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାରେ କୁଆପଥର ମାଡ଼, ଝଡ଼ତୋଫାନ ଓ ଘଡ଼ଘଡ଼ି ସହିତ ବର୍ଷା ହେବାର ଆଶଙ୍କା ରହିଛି । ଏଣୁ ଏହି ସମୟରେ ବାହାରକୁ ନ ଯିବା ପୂର୍ବରୁ ସତର୍କ ରହିବା ପାଇଁ ପାଣିପାଗ କାର୍ଯାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଭୁବନେଶ୍ୱର ସମେତ ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ପୂର୍ବାହ୍ନରୁ ଖରା ଓ ଅସହ୍ୟ ଗରମ ଅନୁଭୂତ ହୋଇଛି । ତେବେ ଆଗାମୀ ୨୪ଘଣ୍ଟା ମଧ୍ୟରେ ବର୍ଷା ହେଲେ ଗରମରୁ ସାମନ୍ୟ ତ୍ରାହି ମିଳିବ ।