କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏହି ସମୟରେ କୋରାପୁଟ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, କନ୍ଧମାଳ, ଅନୁଗୁଳ, ସମ୍ବଲପୁର ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାର ପରବର୍ତୀ ଦୁଇ ଦିନ ଓଡ଼ିଶାରେ କମ୍‌ ବର୍ଷା ରହିବ । ୧୯ ତାରିଖଠାରୁ ପୁଣିଥରେ ବର୍ଷା ପରିମାଣ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

Advertisment

ପାଣିପାଗ କେନ୍ଦ୍ରର ନିର୍ଦେଶକ ଏଚ୍‌ ଆର ବିଶ୍ବାସ କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । କଳାହାଣ୍ଡି, କୋରାପୁଟ, ବଲାଙ୍ଗୀର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି ।  ମୌସୁମୀ ବର୍ଷା ତଥା ଜୁନ୍‌ ପହିଲାରୁ ଜୁଲାଇ ୧୫ ପର୍ଯ୍ୟନ୍ତ ରାଜ୍ୟରେ ୫ ପ୍ରତିଶତ ଅଧିକ ବର୍ଷା ହୋଇଛି । ଏହି ସମୟ ମଧ୍ୟରେ ସ୍ବାଭାବିକ୍‌ ଭାବେ ୩୬୮.୨ ମିମି ବର୍ଷା ହୋଇଥାଏ । ତେବେ ଆଜି ସୁଦ୍ଧା‌ ୩୮୮.୨ ମିମି ବର୍ଷା ରେକର୍ଡ କରାଯାଇଛି । ୨୪ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୬ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ।

୪ଟି ଜିଲ୍ଲା ଯଥା ଝାରସୁଗୁଡ଼ା, ମାଲକାନଗିରି, ନୂ୍ଆପଡ଼ା ଓ ବୌଦ୍ଧରେ ସ୍ବାଭାବିକଠାରୁ ୨୦% ଅଧିକ ବର୍ଷା ହୋଇଛି। ଉପକୂଳ ଜିଲ୍ଲାଗୁଡ଼ିକରେ ନିଅଣ୍ଟିଆ ବର୍ଷା ରହିଛି । ଗତ ୩୬ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣ ଓ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇଛି । ଟିଟିଲାଗଡ଼ରେ ସର୍ବାଧିକ ୬୪.୬ ମିମି ବର୍ଷା ରେକର୍ଡ କରାଯାଇଛି ।