ବର୍ଷିବ ପରେ ଥରାଇବ : ଆସନ୍ତା ୨୪ଘଣ୍ଟା ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା, ୭ଜିଲ୍ଲାରେ ବର୍ଷା ସହ ୩୦ରୁ ୪୦ କିମି ବେଗରେ ବହିପାରେ ପବନ ।

3,082

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା । ୭ଟି ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ବହିବ ପବନ । ପୁରୀ, ଢ଼େଙ୍କାନା. ଖୋର୍ଦ୍ଧା, ନୟାଗଡ଼, ଭଦ୍ରକ , କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବେଗରେ ପବନ ବହିବ ବୋଲି ଆଞ୍ଚଳିକ ପାଣିବାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସୋନପୁର, ବୌଦ୍ଧ, ଅନୁଗୁଳ, ସମ୍ବଲପୁରର କେତେକ ସ୍ଥାନରେ ଘୂର୍ଣ୍ଣିଝଡ଼ ହୋଇପାରେ ।

ସେହିପରି ୮ ତାରିଖ ପୂର୍ବାହ୍ନରୁ ୯ ତାରିଖ ପୂର୍ବାହ୍ନ ମଧ୍ୟରେ ରାୟଗଡ଼ା, ଗଜପତି, ପୁରୀ, ଗଞ୍ଜାମ, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାର କିଛି ସ୍ଥାନରେ ବଜ୍ରପାତ ସହ ୩୦ରୁ ୪୦ କିମି ବେଗରେ ପବନ ବହିବ। ଏହି ସମୟ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାରେ ଘନ କୁହୁଡ଼ି ଲାଗି ରହିବ। ରାସ୍ତାଘାଟ ଠିକ ଭାବେ ଦୃଶ୍ୟମାନ ହେବ ନାହିଁ ।

୯ ତାରିଖ ଅପରାହ୍ଣଠାରୁ ପାଗରେ ପରିବର୍ତନ ଆସିବ । ବର୍ଷା କମିବା ସହ କୁହୁଡ଼ି ବଢ଼ିବ। ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ୯ ଓ ୧୦ ତାରିଖରେ ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କଟକ, ଖୋର୍ଦ୍ଧା ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ହେବ । ଏଥିସହ ୧୦ ଓ ୧୧ ତାରିଖରେ କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଅନୁଗୁଳ, ବଲାଙ୍ଗୀର ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡ଼ି ହେବ। ତେଣୁ ସତର୍କତା ଅବଲମ୍ବନ କରିବାକୁ ଗାଡ଼ି ଚାଳକଙ୍କୁ ପରାମର୍ଶ ଦିଆଯାଇଛି । ଆସନ୍ତା ୨ ଦିନ ଯାଏ ରାତିର ସର୍ବନିମ୍ନ ତାପମାତ୍ରାରେ ସେଭଳି ପରିବର୍ତନ ହେବ ନାହିଁ । ତେବେ ଏହାପରେ ତାପମାତ୍ରା ଲଗାତାର ଭାବେ ୨ରୁ ୪ ଡିଗ୍ରି କମିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।