କନକ ବ୍ୟୁରୋ : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି । ୨୦.୫ ଡିଗ୍ରି ଉତ୍ତର ଅକ୍ଷାଂଶ ଓ ୮୮.୦ ପୂର୍ବ ଦ୍ରାଘିମାରେ ବାଲେଶ୍ବରର ଦକ୍ଷିଣ ପୂର୍ବ ଦିଗରେ ପ୍ରାୟ ୧୬୦ କିମି ଓ ଦୀଘାର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୧୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏଥିସହ ଆସନ୍ତା ୪୮ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ପ୍ରଭାବରେ ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓ ଉତ୍ତର ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ଆଶଙ୍କା ରହିଛି । ସ୍ଥାନେ ସ୍ଥାନେ ଅତିରୁ ଅତିପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି । ତାହାକୁ ଦୃଷ୍ଟିରେ ରଖି ୮ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ୧୧ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୭ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ପୁରୀ ଜିଲ୍ଲା ଓ ଏହାର ପରବର୍ତୀ ୨୪ ଘଣ୍ଟା ଲାଗି ସମ୍ବଲପୁର, ଦେବଗଡ଼, ବଲାଙ୍ଗିର, ନୂଆପଡ଼ା ଓ ବରଗଡ଼ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ଏହି ଜିଲ୍ଲାର କେତେକ ସ୍ଥାନରେ ୨୦୪ମିମିରୁ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ।
ଏହି ସମୟ ମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଶାନ୍ତ ରହିବ । ଘଣ୍ଟା ପ୍ରତି ୪୦ରୁ ୫୦କିମି ବେଗରେ ପବନ ହେବ । ବେଳେ ବେଳେ ପବନର ବେଗ ୬୦ କିମି ପହଞ୍ଚିବାର ସମ୍ଭାବନା ରହିଛି । ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଉପକୂଳର ସମସ୍ତ ବନ୍ଦରରେ ୩ ନମ୍ବର ବିପଦସଙ୍କେତ ଲାଗୁ କରାଯାଇଛି । ଅନ୍ୟପକ୍ଷରେ ଗତ ୩୬ ଘଣ୍ଟା ମଧ୍ୟରେ ଗୋପାଳପୁରରେ ସର୍ବାଧିକ ୧୪୧.୨ ମିମି ବର୍ଷା ହୋଇଥିବା ବେଳେ ପୁରୀରେ ୧୦୩.୬, ଦାରିଙ୍ଗବାଡ଼ିରେ ୯୫, କୋରାପୁଟରେ ୭୫.୨, ମାଲକାନଗିରିରେ ୬୧.୬, କେନ୍ଦୁଝରରେ ୫୮.୪, କଟକରେ ୫୫.୪, ଭୁବନେଶ୍ବରରେ ୩୩.୮, ଭବାନୀପାଟଣାରେ ୩୩.୪ ମିମି ବର୍ଷା ରେକର୍ଡ କରାଯାଇଛି। ଆଜି ସନ୍ଧ୍ୟାଠାରୁ ଉପକୂଳ ଓଡ଼ିଶାରେ ବର୍ଷା ବଢ଼ିବା ସହ କେତେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି। ତେଣୁ ସମ୍ଭାବ୍ୟ ବନ୍ୟା ଓ ଜଳବନ୍ଦୀ ସ୍ଥିତି ଉପରେ ଦୃଷ୍ଟି ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି ।