କନକ ବ୍ୟୁରୋ : ଉତ୍ତର ପଶ୍ଚିମ ବାଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ‘ୱେଲ୍ ମାର୍କଡ ଲୋ ପ୍ରେସର’ରେ ପରିଣତ ହୋଇଛି । ପ୍ରଭାବରେ ଆଜି ଦିନତମାମ ସାରା ଓଡ଼ିଶାରେ ବର୍ଷା ଲାଗି ରହିଛି । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ଜଳବନ୍ଦୀ ପରି ସମସ୍ୟା ସୃଷ୍ଟି ହୋଇଛି । କେତେକ ସ୍ଥାନରେ ନଦୀ ଜଳସ୍ତର ବୃଦ୍ଧି ପାଇଥିଲେ ମଧ୍ୟ ନିୟନ୍ତ୍ରଣ ଭିତରେ ରହିଛି ।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ପୂର୍ବାହ୍ନରେ ‘ୱେଲ୍ ମାର୍କଡ ଲୋ ପ୍ରେସର’ରେ ପରିଣତ ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେଇ ଓଡ଼ିଶା ଅତିକ୍ରମ କରିବ । ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିବ । ତେଣୁ ୨ ତାରିଖ ଲାଗି ଓଡ଼ିଶା ପାଇଁ ଅରେଞ୍ଜ ଆଲର୍ଟ ଦିଆଯାଇଛି । ଜୁଲାଇ ୨ ତାରିଖ ଅପରାହ୍ଣ ବେଳକୁ ‘ୱେଲ୍ ମାର୍କଡ ଲୋ ପ୍ରେସର୍’ ଛଡ଼ିଶଗଡ଼ ଓ ବିଦର୍ଭ ଆଡ଼କୁ ଅଗ୍ରସର ହୋଇ ଭୀଷଣ ବର୍ଷା କରାଇବ । ଛତିଶଗଡ଼ରେ ୩ ତାରିଖ ଓ ବିଦର୍ଭରେ ୪ ତାରିଖ ଯାଏ ଭାରି ବର୍ଷାର ଆଶଙ୍କା ଥିବାରୁ ସେଠାରେ ରେଡ୍ ଆଲର୍ଟ ଜାରି କରାଯାଇଛି ।
ଜୁଲାଇ ୩ରୁ କୋଙ୍କଣ, ଗୋଆ, ମଧ୍ୟ ମହାରାଷ୍ଟ୍ର, ମରାଠାୱାଡା, ଗୁଜୁରାଟ, ପୂର୍ବ ରାଜସ୍ଥାନ, ପଶ୍ଚିମ ମଧ୍ୟପ୍ରଦେଶରେ ବି ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବ। ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବାର ଆଶଙ୍କା ରହିଥିବାରୁ ଓଡ଼ିଶା ଓ ପଶ୍ଚିମବଙ୍ଗ ମତ୍ସଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।