ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଦୁଇ ଦିନ ଧରି ଝଡ଼ବର୍ଷା ସହ କୁଆପଥର ମାଡ଼ ସମ୍ଭାବନା : ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

181

କନକ ବ୍ୟୁରୋ : ଟ୍ରାପ୍‌ ଲାଇନ୍‌ ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଦୁଇଦିନ ଧରି ଝଡ଼ବର୍ଷା ସହିତ କୁଆପଥର ମାଡର ସମ୍ଭାବନା ରହିଛି ବୋଲି ମଙ୍ଗଳବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ । ଉତ୍ତର ଓ ଦକ୍ଷିଣ ଓଡ଼ିଶା ସମତେ ନୟାଗଡ଼, ଖୋର୍ଦ୍ଧା, ପୁରୀ, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ,ଢ଼େଙ୍କାନାଳ ଓ କଟକ ଆଦି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡବର୍ଷା ଆଶଙ୍କା ରହିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ସମୁଦ୍ର ଭିତରକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପାଣିପାଗ ପକ୍ଷରୁ ବାରଣ କରାଯାଇଛି ।

ବର୍ତ୍ତମାନ ଓଡ଼ିଶାର ଭବାନୀପଟଣାରେ ସର୍ବାଧିକ ତାପମାତ୍ରା ୩୬.୫ ଡିଗ୍ରି ସେଲସିୟସ୍‌ ରେକର୍ଡ କରାଯାଇଥିବା ବେଳେ ସୁନ୍ଦରଗଡ଼ରେ ସର୍ବନିମ୍ନ ୧୫.୦ଡିଗ୍ରି ସେଲସିୟସ୍‌ ତାପମାତ୍ରା ରେକର୍ଡ ହୋଇଛି । ମୟୁରଭଞ୍ଜରେ ୫ମିମି, କେନ୍ଦୁଝରରେ ୩ମିମି, କଟକରେ ୩ମିମି, ବାଲେଶ୍ୱର ୨ମିମି, ନୟାଗଡ଼ରେ ୨ମିମି, ଦେଓଗଡ଼ରେ ୧ମିମି, ଅନୁଗୁଳରେ ୧ମିମି ବର୍ଷା ରେକର୍ଡ କରାଯାଇଛି ।

ଆସନ୍ତା ୨୭ ତାରିଖରେ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢ଼େଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଓ ଖୋର୍ଦ୍ଧା ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସହିତ ଘଡ଼ଘଡ଼ି ବିଜୁଳି ମାରିବା ଆଶଙ୍କା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ । ସେହିପରି ୨୮ ତାରିଖରେ ଉପକୂଳ ଓଡ଼ିଶାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ଆଶଙ୍କା ଥିବା ବେଳେ ଅନ୍ୟସ୍ଥାନ ଗୁଡ଼ିକ ମୁଖ୍ୟତଃ ଶୁଖିଲା ରହିବ ।