ଲଗାଣ ବର୍ଷାରେ ମୁମ୍ବାଇରେ ଅବସ୍ଥା ଅସମ୍ଭାଳ । ଫସିଥିବା ୫୫ ଜଣ ଟ୍ରେନ୍ ଯାତ୍ରୀଙ୍କୁ ଉଦ୍ଧାର କଲା ଏନଡିଆରଏଫ । ସେପଟେ ଜେଜେ ହସ୍ପିଟାଲ ପରିସରରେ ପଶିଲା ପାଣି

132

କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁଁ ମୁମ୍ବାଇରେ ଅବସ୍ଥା ଅସମ୍ଭାଳ । ସହର ରାଜରାସ୍ତା ଠାରୁ ଆରମ୍ଭ କରି ଗଳିକନ୍ଦି ସବୁଠି ପାଣି ଭରିଯାଇଛି । ରାସ୍ତା ଉପରେ ଆଂଠୁଏ ଉଚ୍ଚର ପାଣି ଥିବା ବେଳେ ତଳୁଆ ଅଂଚଳମାନଙ୍କରେ ପାଣି ଭରିଯାଇଛି । ବର୍ଷା ସାଙ୍ଗକୁ ପବନ ସ୍ଥିତିକୁ ଆହୁରି ବିଗାଡ଼ି ଦେଇଛି । ପାଣି ଯୋଗୁଁ ଫସିଥିବା ରହିଥିବା ପ୍ରାୟ ୫୫ ଜଣ ଟ୍ରେନ୍ ଯାତ୍ରୀଙ୍କୁ ଉଦ୍ଧାର କରିଛି ଏନଡିଆରଏଫ । ପାଣି ଯୋଗୁଁ ରେଳଧାରଣା ଉପରେ ଟ୍ରେନ୍ ଅଟକି ରହିଥିଲା । ପରେ ଏନଡିଆରଫ ଟିମ୍ ଏହି ଯାତ୍ରୀମାନଙ୍କୁ ଉଦ୍ଧାର କରିଛି ।

ସେପଟେ ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇର ଜେଜେ ହସ୍ପିଟାଲ ପରିସରରେ ପାଣି ପଶିଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ମୁମ୍ବାଇ ସହ ଥାଣେ ଓ ପାଲଘର ଅଂଚଳରେ ମଧ୍ୟ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଗୁରୁବାର ମଧ୍ୟ ମୁମ୍ବାଇରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ତେବେ ରାଜ୍ୟରେ ବର୍ଷା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଲୋକଙ୍କୁ ଅଯଥାରେ ବାହାରକୁ ନବାହାରିବାକୁ ସେ ପରାମର୍ଶ ଦେଇଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁମ୍ବାଇ ବର୍ଷା ସ୍ଥିତି ନେଇ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରିଛନ୍ତି ।