ଅଦିନିଆ ବର୍ଷାରେ ଉବୁଟୁବୁ ବ୍ରହ୍ମପୁର ସହର : ଦୁଇଘଂଟା ବର୍ଷାରେ ବନ୍ୟା ପରିସ୍ଥିତି

44

କନକ ବ୍ୟୁରୋ : ଅଦିନିଆ ବର୍ଷାରେ ବ୍ରହ୍ମପୁର ଉବୁଟୁବୁ । ଦୀର୍ଘ ଦୁଇ ଘଂଟା ଧରି ପ୍ରବଳ ବର୍ଷାରେ ଜଳମଗ୍ନ ହୋଇପଡିଛି ବ୍ରହ୍ମପୁର ସହର । ସହରର ବିଭିନ୍ନ ଅଂଚଳରେ ଆଂଠୁଏ ଲେଖାଏଁ ପାଣି ଜମିଥିବା ଦେଖିବାକୁ ମିଳିଛି । ଅଶୋକନଗର, ଗଜପତି ନଗର, ନୂଆ ବସ ଷ୍ଟାଣ୍ଡ୍ ଓ ଗାନ୍ଧିନଗର ଅଂଚଳରେ ଅଘୋଷିତ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗାଡି ମୋଟର ଚଳାଚଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଲୋକେ ।

ଅନେକ ସ୍ଥାନରେ ଘର ଭିତରେ ପାଣି ପଶି ଯାଇଛି । ଫଳରେ ସହରବାସୀ ହନ୍ତସନ୍ତ ହୋଇଛନ୍ତି । ମହାନଗର ନିଗମରେ ପରିଣତ ହୋଇଥିଲେ ମଧ୍ୟ ସହରରେ ଡ୍ରେନେଜ୍ ବ୍ୟବସ୍ଥା ସଂପୂର୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଅନ୍ୟପଟେ ସଫେଇ କାମ ପାଇଁ କୋଟି କୋଟି ଟଙ୍କା ବ୍ୟୟ ଅଟଳଳ ହୋଇଥିଲେ ମଧ୍ୟ ଏହାକୁ କେଉଁ ବାଟରେ ଖର୍ଚ୍ଚ କରାଯାଇଛି ତାହା ଏବେ ସନ୍ଦେହ ଘେରରେ ।

କାଳବୈଶାଖୀର ପ୍ରଭାବ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ଦିନ ବେଳା ବର୍ଷା ଲାଗି ରହିଥିଲା । ସକାଳୁ ବର୍ଷା ଲାଗି ରହିଥିବାରୁ ଜନଜୀବନ ଏକ ପ୍ରକାର ଠପ ହୋଇଯାଇଥିଲା । ଆକାଶ ମେଘାଛନ୍ନ ଥିବାରୁ ପାଗ କୋହଲା ରହିଛି । ତେବେ ୧୦ ଓ ୧୧ ତାରିଖରେ ଅଧିକ ବର୍ଷାର ସମ୍ଭାବନା ରହିଛି ।

ଗତ ୩ ଦିନ ହେଲା ରାଜଧାନୀରେ ଏପରି ପାଗ ଲାଗି ରହିଛି । ଆହୁରି ୫ ଦିନ ପର୍ଯ୍ୟନ୍ତ ଏପରି ପାଗ ଲାଗି ରହିବ । ମାର୍ଚ୍ଚ ୧୫ ତାରିଖ ପରେ ତାପମାତ୍ରା ବଢିପାରେ । କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଛି । ପୁରୀ ଜିଲ୍ଲା ଅସ୍ତରଙ୍ଗରେ ମଧ୍ୟ ପ୍ରବଳ ବର୍ଷା ହୋଇଛି ।