ବର୍ଷାରେ ବେହାଲ ରାଜଧାନୀ : ରାସ୍ତା ଉପରେ ପାଣିର ସୁଅ, ବସ୍ତିରେ ରହୁଥିବା ଲୋକଙ୍କ ଅବସ୍ଥା ଶୋଚନୀୟ

210

କନକ ବ୍ୟୁରୋ : ବର୍ଷାରେ ବେହାଲ ରାଜଧାନୀ । ଗୋଟିଏ ଦିନର ବର୍ଷାରେ ବିପଦପୂର୍ଣ୍ଣ ହୋଇପଡିଛି ରାଜଧାନୀର ରାଜରାସ୍ତା । ଡ୍ରେନରେ ଜମିଯାଇଛି ପାଣି । କେତେକ ସ୍ଥାନରେ ମ୍ୟାନହୋଲ ଖୋଲାମେଳା ପଡିଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ରାସ୍ତା ଖୋଳାଯାଇଥିବାରୁ ବର୍ଷା ସମୟରେ ଯାଆସ କରିବା ମୁସକିଲ ହୋଇପଡିଛି । ଏହାରି ଭିତରେ ବସ୍ତିରେ ରହୁଥିବା ଲୋକଙ୍କ ଅବସ୍ଥା ଆହୁରି ଶୋଚନୀୟ ହୋଇପଡିଛି । ବାତ୍ୟା ଫୋନି ମାଡରେ ଭୁବନେଶ୍ୱରର ଅନେକ ବସ୍ତିରେ ଘର ଭାଙ୍ଗି ଯାଇଛି । ଏବେ ବର୍ଷାରେ ବସ୍ତି ଲୋକଙ୍କ ଦୁର୍ଦ୍ଦଶା ଦୁଇଗୁଣ ବଢିଯାଇଛି ।

କୌଣସି ଉପାନ୍ତ ଅଂଚଳ ନୁହେଁ ବରଂ ରାଜଧାନୀ ଭୁବନେଶ୍ୱରର ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି । ଖାଲ କେଉଁଟା ରାସ୍ତା କେଉଁଟା ତାହା ଜାଣିବା କଷ୍ଟକର ବ୍ୟାପାର । ଗାଡି ମୋଟରରେ ଯିବା ସହଜ ହେଉନି । ତଥାପି ଲୋକେ ବିପଦଜ୍ଜନକ ଅବସ୍ଥାରେ ରାସ୍ତା ପାର୍ ହେଉଛନ୍ତି । ବିଶେଷକରି ଭୁବନେଶ୍ୱରର ବମିଖାଲ ଅଂଚଳ, ବାଣୀବିହାର ଛକରୁ ରୂପାଲି ଛକ ପର୍ଯ୍ୟନ୍ତ ରାସ୍ତା ଖୋଳା ଯାଇଛି । ଯାହାର କାମ ଏବେ ଅଧାରେ ଅଟକିଛି । ବର୍ଷା ସମୟରେ ଏସବୁ ରାସ୍ତାରେ ଯିବାର ମାନେ ହେଉଛି ବିପଦକୁ ଆମନ୍ତ୍ରଣ କରିବା । ବମିଖାଲ ଅଂଚଳର ଜଗନ୍ନାଥ ନଗର, ଜୟଦୁର୍ଗାନଗର ଠାରୁ ଆରମ୍ଭ କରି ଶାନ୍ତିନଗର ଓ ଅନ୍ୟାନ ଅଚଂଳରେ ରାସ୍ତା ଖୋଳାଯାଇ ଡ୍ରେନେଜ୍ କାମ ଚାଲିଛି । ତେଣୁ ଏପରି ପରିସ୍ଥିତି ଉପୁଯିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଏହାବ୍ୟତୀତ ଇସ୍କନ ମନ୍ଦିର ନିକଟର ପାଣି ଜମି ରହିବା ଯୋଗୁଁ ଯାତାୟତ ପ୍ରଭାବିତ ହୋଇଛି ।

ଖଣ୍ଡଗିରି ଉପକଣ୍ଠରେ ଥିବା ଜଗନ୍ନାଥ ବସ୍ତିରେ ଫନି ବାତ୍ୟାରେ ଘର ଭାଙ୍ଗି ଯିବା ପରେ ଅସରାଏ ବର୍ଷାରେ ଏବେ ଲୋକଙ୍କ ଅବସ୍ଥା ବେହାଲ । କିଏ ପାଖ ପଡୋଶୀ ଘରେ ରହୁଛି ତ ଆଉ କିଏ ଜରି ପାଲ ଟାଙ୍ଗି ଅଧା ଭଙ୍ଗା ଘରେ ରହୁଛି । ଗୋଟିଏ ଦିନର ବର୍ଷାରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । କହିବାରୁ ଗଲେ ଫୋନି ପରେ ବର୍ଷା ଦାଉସାଧିଛି । ଯାହା କି ବୋଝ ଉପରେ ନଳିତା ବିଡା ପରି ମନେହେଉଛି ।

ବର୍ଷା ପୂର୍ବରୁ ଡ୍ରେନେଜ କାମକୁ ଶେଷ କରିବାକୁ ପୂର୍ବରୁ ବିଏମସି କହିଥିବା ବେଳେ ଗୋଟିଏ ବର୍ଷାରେ ରାଜଧାନୀର ଅବସ୍ଥା କାର୍ଯ୍ୟକାରୀତା ନେଇ ସନ୍ଦେହ ସୃଷ୍ଟି କରିଛି । ଆଗକୁ ବର୍ଷା ଆହୁରି ହେବାକୁ ଥିବା ବେଳେ ଯଦି ଏପରି ସ୍ଥିତି ଜାରି ରହେ ତାହେଲେ ପରିସ୍ଥିତି ଯେ ସଙ୍ଗୀନ ନହେବ ସେକଥା କିଏ କହିବ । ଏହାରି ଭିତରେ ଅପେକ୍ଷା କେବେ ସରିବ ଏହି ଡ୍ରେନେଜ୍ କାମ ଏବଂ ବସ୍ତିବାସିନ୍ଦାଙ୍କ ଦୁଃଖ କେବେ ବୁଝାଯିବ ।