ବଦଳିଲା ପାଗର ମିଜାଜ୍, ରାଜ୍ୟରେ ଦୁଇ ଦିନ ଯାଏଁ କୋହଳ ପାଗ : ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ, ବଢ଼ିପାରେ ଶୀତ

665

କନକ ବ୍ୟୁରୋ : ସାରା ରାଜ୍ୟରେ କୋହଳା ପାଗ । ତା’ସାଙ୍ଗକୁ କେତେକ ସ୍ଥାନରେ ହେଉଛି ବର୍ଷା । ଏହି ଅବସ୍ଥା ଆସନ୍ତା ଦୁଇ ଦିନ ଲାଗି ରହିବ । ଏହା ପରେ ଘନ କୁହୁଡିରେ ଢାଙ୍କି ହୋଇଯିବ ଉତର- ପଶ୍ଚିମ ଓଡିଶା । ତେବେ ୧୦ ତାରିଖ ପରଠାରୁ ବଢିବ ଶୀତ ।

ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବଂ ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ବାୟୁ ପ୍ରବାହରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ମୁଖ୍ୟତଃ ଜଗତସିଂହପୁର, ପୁରୀ, ଗଂଜାମ ଓ ସମ୍ବଲପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହା ସହ ସୋନପୁର, ବୌଦ୍ଧ, ଅନୁଗୁଳ ଓ ସମ୍ବଲପୁରରେ ଘଡଘଡି ସହ କୁଆପଥର ବର୍ଷା ହେବା ସମ୍ଭାବନା ରହିଛି । ଏହାଛଡା ଅଧିକାଂଶ ଜିଲ୍ଲାରେ କୋହଳା ପାଗ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଦୁଇ ଦିନ ପରେ ପାଗରେ ସାମାନ୍ୟ ବଦଳିବା ସମ୍ଭାବନା ରହିବ । ରବିବାର ବେଳକୁ ମୁଖ୍ୟତଃ ଦକ୍ଷିଣ ଆଭ୍ୟନ୍ତର ଓ ଉତର ଓଡିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ମାତ୍ରାରେ ବର୍ଷା ହୋଇପାରେ । ଏସବୁ ସ୍ଥାନରେ ଘଡଘଡି, ବିଜୁଳି ହୋଇପାରେ । ଅନ୍ୟପଟେ ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡା, ସମ୍ବଲପୁର ଓ ବଲାଙ୍ଗିରରେ ଘନ କୁହୁଡି ହେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ।

ଗତି କିଛି ଦିନ ଧରି ରାଜ୍ୟରେ କୋହଳା ପାଗ ଲାଗି ରହିଥିବା ବେଳେ ୧୦ ତାରିଖରୁ ପାଗରେ ବଡ ପରିବର୍ତନ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ବର୍ଷାର ପରିମାଣ କମିବା ସହ ଥଣ୍ଡାର ପରିମାଣ ବଢ଼ିବ । ରାତିରେ ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ ।