କାହିଁକି ବିଳମ୍ବରେ ଆସୁଛି ଟ୍ରେନ୍ ? ଭିଡ଼ିଓ ମେସେଜ ମାଧ୍ୟମରେ ସୂଚନା ଦେବ ଭାରତୀୟ ରେଳବାଇ

61

ଭାରତୀୟ ରେଳବାଇ ଗ୍ରାହକଙ୍କ ସୁବିଧା ନିମନ୍ତେ ସଦାସର୍ବଦା ତତ୍ପର । ଯାତ୍ରୀଙ୍କ ସୁରକ୍ଷା ଠାରୁ ଆରମ୍ଭ କରି ଦୁର୍ଘଟଣାରୁ ବର୍ତ୍ତିବା ତଥା ବରିଷ୍ଠ ନାଗରିକଙ୍କ ପାଇଁ ଅନେକ ଉଦ୍ୟମ ଚଳାଇଛନ୍ତି ଭାରତୀୟ ରେଳବାଇ । ତେବେ ରେଳରେ ଯାତ୍ରା କରୁଥିବା ସମୟରେ ଯାତ୍ରୀଙ୍କ ସବୁଠାରୁ ବଡ଼ ସମସ୍ୟା ହେଲା ବିଳମ୍ବରେ ଟ୍ରେନ୍ ଆସିବା । ଟ୍ରେନକୁ ଅପେକ୍ଷା କରିବା ଭାରି ବିରକ୍ତକର । ଆପଣ ବି କେବେ ନାଁ କେବେ ଏପରି ସମସ୍ୟାର ସମ୍ମୁଖୀନ ହୋଇଥିବେ । ତେବେ ଏପରି ଗମ୍ଭୀର ସମସ୍ୟାରୁ ରକ୍ଷା ପାଇବା ପାଇଁ ରେଳବାଇ ନୂଆ ପଦକ୍ଷେପ ନେବାକୁ ଯାଉଛି । ପ୍ଲାଟଫର୍ମରେ ଲାଗିଥିବା ସ୍କ୍ରିନରେ ଭିଡ଼ିଓ ମେସେଜ ପ୍ରସାରିତ କରିବା ପାଇଁ ନିଷ୍ପତ୍ତି ନେଇଛି । ଭିଡ଼ିଓ ମେସେଜ ଦ୍ୱାରା ଟ୍ରନ ଆସିବାରେ କାହିଁକି ବିଳମ୍ବ ହେଉଛି ସେନଇ ସ୍ପଷ୍ଟୀକରଣ ଦିଆଯିବ ଏବଂ ଯାତ୍ରୀଙ୍କୁ ସହଯୋଗ ପାଇଁ ଅପିଲ କରାଯିବ ।

ରେଳବାଇ ସୂତ୍ର ଅନୁସାରେ ଏକ ମିନିଟରେ ଭିଡ଼ିଓ କ୍ଲିପ୍ ପ୍ରସାରିତ କରାଯିବ । ଟ୍ରେନ ଆସିବାରେ କାହିଁକି ବିଳମ୍ବ ହେଉଛି ଏବଂ ଯାତ୍ରୀଙ୍କୁ ଧୈର୍ଯ୍ୟ ଧରି ଅପେକ୍ଷା କରିବା ପାଇଁ ଅପିଲ କରାଯିବ । ଚଳିତ ସପ୍ତାହରେ ହିଁ ଏହି କାମ ଆରମ୍ଭ ହେବ । ଏପରି କରିବା ଦ୍ୱାରା ଯାତ୍ରୀମାନେ ଧୈର୍ଯ୍ୟ ଧରି ରହିବେ ବୋଲି ଆଶା କରୁଛି ଭାରତୀୟ ରେଳବାଇ ।

ଭିଡ଼ିଓରେ ମେସେଜ ରହିବ, କୃପା କରି ଧୈର୍ଯ୍ୟ ରଖନ୍ତୁ, ଆପଣ ଧୈର୍ଯ୍ୟ ରଖିଲେ ଆପଣଙ୍କ ଭବିଷ୍ୟତ ଅଧିକ ସୁଖମୟ ହେବ । ବିଳମ୍ବ ପାଇଁ ଦୁଃଖ କରିବା ବ୍ୟତୀତ ରେଳଧାରଣା ବିଷୟରେ ମଧ୍ୟ ସୂଚନା ଦେବ । ଉଲ୍ଲେଖନୀୟ ଭାରତରେ ପାଖାପାଖି ୩୦ ପ୍ରତିଶତ ଟ୍ରେନ ବିଳମ୍ବରେ ଚାଲୁଛି । ୨୦୧୭-୧୮ରେ ଭାରତୀୟ ରେଳବାଇର ପ୍ରଦର୍ଶନ ଆହୁରି ଖରାପ ହୋଇଛି । ଟ୍ରେନ ବିଳମ୍ଭ ହେବା ସଙ୍ଗେ ସଙ୍ଗେ ଅନେକ ଦୁର୍ଘଟଣା ଘଟିଛି । ତେଣୁ ଏସବୁରେ ସୁଧାର ଆଣିବା ସହ ଲୋକଙ୍କ ସୁବିଧା ଯୋଗାଇବା ପାଇଁ ରେଳବାଇ ଏପରି ପଦକ୍ଷେପ ନେଇଛି ।