କନକ ବ୍ୟୁରୋ : ଭାରତର ଜାତୀୟ ପରିବହନରୁ ଭିଆଇପି ସଂସ୍କୃତିର ଅବସାନ କରିବା ନିମନ୍ତେ ରେଳ ମନ୍ତ୍ରାଳୟ ନେଇ ଥିବା ପଦକ୍ଷେପ ସଂକ୍ରାନ୍ତରେ ନିଜର ବରିଷ୍ଠ କର୍ମଚାରୀମାନଙ୍କୁ ସୂଚନା ଦେଇଛି । ଏକ ଅପ୍ରତ୍ୟାଶିତ ପଦକ୍ଷେପରେ ମନ୍ତ୍ରାଳୟ ଦୀର୍ଘ ୩୬ ବର୍ଷ ହେବ ଚଳି ଆସୁଥିବା ପ୍ରୋଟୋକଲ୍ ନିଷିଦ୍ଧ କରିଛି । ପ୍ରୋଟୋକଲ୍ ଅନୁସାରେ, ରେଳବାଇ ବୋର୍ଡ ଚେୟାର୍ମ୍ୟାନ୍ ଏବଂ ଅନ୍ୟ ବୋର୍ଡ ମେମ୍ବରମାନେ ଜୋନାଲ୍ ପରିଦର୍ଶନରେ ଆସିବା ଏବଂ ବିଦାୟ ନେବାବେଳେ ଜେନେରାଲ୍ ମ୍ୟାନେଜରମାନେ ଉପସ୍ଥିତ ହେଉଥିଲେ ।
ମନ୍ତ୍ରାଳୟରେ ମିଳୁଥିବା ବିପୁଳ ସୁବିଧା ସୁଯୋଗ ଅଂଶ ବିଶେଷ ଭାବେ ୧୯୮୧ର ଏକ ସକ୍ୟୁଲାର୍ ଏହି ପ୍ରୋଟୋକଲ୍କୁ ବାଧ୍ୟତା ମୂଳକ କରିଥିଲା । ଏବେ ରେଳବାଇ ବୋର୍ଡ ଏହାକୁ ଉଚ୍ଛେଦ କରିବାକୁ ସ୍ଥିର କରିଛି।ସେପ୍ଟେମ୍ବର ୨୮ ତାରିଖର ଏକ ଅର୍ଡରରେ ମନ୍ତ୍ରାଳୟ କହିଛି ଯେ, ରେଳବାଇ ବୋର୍ଡ ଚେୟାର୍ମ୍ୟାନ୍ ଏବଂ ଅନ୍ୟାନ୍ୟ ବୋର୍ଡ ମେମ୍ବରମାନେ ବିମାନ ବନ୍ଦର ଏବଂ ରେଳ ଷ୍ଟେସନ୍ ପରିଦର୍ଶନରେ ଯାଉଥିବାବେଳେ ଦିଆ ଯାଉଥିବା ପ୍ରୋଟୋକଲ୍କୁ ତୁରନ୍ତ ପ୍ରତ୍ୟାହାର କରାଗଲା ।
ରେଳବାଇ ବୋର୍ଡ ଚେୟାର୍ମ୍ୟାନ୍ ଅଶ୍ୱିନୀ ଲୋହାନୀ କହିଛନ୍ତି କେତେବେଳେ ମଧ୍ୟ କୌଣସି ଅଧିକାରୀଙ୍କୁ ଫୁଲତୋଡ଼ା ଏବଂ ଉପଢ଼ୌକନ ଦିଆଯିବ ନାହିଁ । ଜାତୀୟ ପରିବହନର ବରିଷ୍ଠ ଅଧିକାରୀଙ୍କ ନିମନ୍ତେ ଏହି ନିଷେଧାଦେଶ କେବଳ କାର୍ୟ୍ୟାଳୟ ନୁହେଁ, ଘରେ ମଧ୍ୟ ଲାଗୁ ହେବ । ବରିଷ୍ଠ ରେଳବାଇ ଅଧିକାରୀଙ୍କ ଘରେ ବୋଲହାକ ନିମନ୍ତେ ରହିଥିବା ସମସ୍ତ ରେଳବାଇ କର୍ମଚାରୀଙ୍କୁ ମୁକ୍ତ କରିବାକୁ ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ନିର୍ଦେଶ ଦିଆ ଯାଇଛି ।
ଅଧିକାରୀମାନେ କହନ୍ତି ଯେ ପ୍ରାୟ ୩୦ ହଜାର ଟ୍ରାକ୍ମ୍ୟାନ୍ ବରିଷ୍ଠ ଅଧିକାରୀମାନଙ୍କ ଘରେ କାମଦାମ କରନ୍ତି । ନିଜ ନିଜର ଡିୟୁଟିକୁ ଫେରି ଯିବା ପାଇଁ ସେମାନଙ୍କୁ କୁହାଯାଇଛି । ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି ଯେ ଗତ ଏକ ମାସ ମଧ୍ୟରେ ୬ ହଜାରରୁ ୭ ହଜାର କର୍ମଚାରୀ ସେମାନଙ୍କ ଡିୟୁଟିକୁ ଫେରି ଯାଇଛନ୍ତି । ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କେତେକ ଅତି ସ୍ୱତନ୍ତ୍ର ପରିସ୍ଥିତି ବ୍ୟତୀତ ନିର୍ଦେଶାବଳୀ ଅନୁସାରେ କାହାରିକୁ ଡିୟୁଟିରେ ପୁନଃଯୋଗ ଦେବାରୁ ବଞ୍ଚିତ କରାଯାଇ ପାରିବ ନାହିଁ । ଆମେ ଆଶା କରୁଛୁ ସେ ଖୁବ୍ ଶୀଘ୍ର ସମସ୍ତ କର୍ମଚାରୀ କାମରେ ଯୋଗ ଦେବେ ।
କଜି ସାଲୁନ୍ ଏବଂ ଏକ୍ଜୁକ୍ୟୁଟିଭ୍ କ୍ଲାସ୍ ଟ୍ରାଭେଲ୍ ପରିବର୍ତ୍ତେ ସ୍ଲିପର୍ ଏବଂ ଏସି ଥ୍ର-ଟାୟାର୍ରେ ଅନ୍ୟ ଯାତ୍ରୀମାନଙ୍କ ଗହଣରେ ଯାତ୍ରା କରିବାକୁ ରେଳବାଇ ମନ୍ତ୍ରୀ ପୀୟୂଷ ଗୋୟଲ୍ ମଧ୍ୟ ବରିଷ୍ଠ ଅଧିକାରୀମାନଙ୍କୁ କହିଛନ୍ତି ।ରେଳବାଇ ବୋର୍ଡର ସଦସ୍ୟ, ରେଳବାଇ ଜୋନ୍ର ଜେନେରାଲ୍ ମ୍ୟାନେଜର୍ ଏବଂ ପ୍ରତି ୫୦ ଡିଭିଜନ୍ରେ ଥିବା ଡିଭିଜ୍ନାଲ୍ ରେଲୱେ ମ୍ୟାନେଜର୍ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ । ମୋର ବିଶ୍ୱାସ ଏହି ପ୍ରୋଟୋକଲ୍ ଲାଗୁ ହୋଇଥିଲାବେଳେ କିଛି କାରଣବଶତ ଏହାକୁ ଡ୍ରାଫ୍ଟ୍ କରିଥିଲେ । ସେମାନଙ୍କର ବିଚାର କ’ଣ ଥିଲା ମୋ ପକ୍ଷେ ତାହା କହିବା କଷ୍ଟକର । ସେ ଯାହାହେଉ, ଏବେ ସେ ସବୁର କୌଣସି କାରଣ ନାହିଁ ।
ସର୍ବସାଧାରଣ ସଙ୍ଗଠନମାନଙ୍କରେ ପୁରାକାଳରୁ ପ୍ରଚଳିତ ହୋଇ ଆସୁଥିବା ପ୍ରୋଟୋକଲ୍ ସବୁକୁ ସମୀକ୍ଷା କରିବା ମନୋଭାନ ନ ଥାଏ । ବରଂ ଏହା ଅଧିକାରୀମାନଙ୍କର ଡିୟୁଟିରୂପେ ପରିଗଣିତ ହୋଇଥାଏ । ନିୟମିତ ବ୍ୟବଧାନରେ ଏହାକୁ ସମୀକ୍ଷା କରାଯିବା ଉଚିତ ବୋଲି ଜଣେ ପୂର୍ବତନ ରେଳବାଇ ବୋର୍ଡ ସଦସ୍ୟ କହିଛନ୍ତି ।