ବିନା ଟଙ୍କାରେ ହୋଇଥିଲା ନିର୍ବାଚନୀ ପ୍ରଚାର : ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି କହିଲେ ସଫଳତାର କାହାଣୀ, ସ୍ୱଚ୍ଛ ଶାସନ ପାଇଁ ଭୋଟ୍ ଦେଲେ ରାୟଗଡା ବାସିନ୍ଦା

591

କନକ ବ୍ୟୁରୋ : ଚଳିତ ନିର୍ବାଚନରେ ଉଡ଼ିଛି କୋଟି କୋଟି ଟଙ୍କା । ନିର୍ବାଚନରେ ବିଜୟୀ ହେବା ପାଇଁ ପ୍ରାର୍ଥୀମାନେ ଟଙ୍କା ବେପାର ଖୋଲିଦେଇଥିଲେ । ପ୍ରଚାର ଯୁଦ୍ଧରେ ଭୋଟ ହାତେଇବା ପାଇଁ ଉଡ଼ୁଥିଲା ଟଙ୍କା । ହେଲେ ଓଡ଼ିଶା ରାଜନୀତିରେ ଏପରି ଜଣେ ରାଜନେତା ଅଛନ୍ତି, ଯିଏ ବିନା ଟଙ୍କାରେ ନିର୍ବାଚନ ଜିତିଛନ୍ତି । ରାୟଗଡା ବିଧାୟକ ମକରନ୍ଦ ମୁଦୁଲି । ଓଡିଶା ରାଜନୀତିର ଏବେ ଏକ ଚର୍ଚିତ ନାଁ । ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ରାୟଗଡ଼ା ବିଧାନସଭାରୁ ଜିତିଛନ୍ତି ଏବଂ ପୂର୍ବତନ ମନ୍ତ୍ରୀଙ୍କୁ ମାତ୍ ଦେଇଛନ୍ତି । ପାଖରେ ଟଙ୍କା ନଥିବା ସତ୍ୱେ ମଧ୍ୟ ଭୋଟରଙ୍କ ଭରସା ଜିତି ପାରିଛନ୍ତି ମକରନ୍ଦ ।

ମାତ୍ର ୧୫ ହଜାର ଟଙ୍କାର ସମ୍ପତ୍ତିର ଅଧିକାରୀ ମକରନ୍ଦ ମୁଦୁଲି ଏବେ ରାୟଗଡ଼ାର ବିଧାୟକ । ନିର୍ବାଚନ ଲଢ଼ିବା ପାଇଁ ତାଙ୍କ ପାଖରେ ନଥିଲା ପର୍ଯ୍ୟାପ୍ତ ଅର୍ଥ । ହେଲେ ନିଜର ଲୋକପ୍ରିୟତା ତଥା ସେବା ମନୋଭାବ ଯୋଗୁଁ ନିର୍ବାଚନ ପ୍ରଚାରରେ ସ୍ୱତଃପ୍ରବୃତ ଭାବେ ଲୋକେ ତାଙ୍କୁ ସାହାଯ୍ୟ କରିଥିଲେ । ଯେଉଁଠି ଅନ୍ୟ ଦଳର ନେତାମାନେ ବିଜୟୀ ହେବା ପାଇଁ ଟଙ୍କା ବାଂଟୁଥିଲେ ସେଇଠି ମକରନ୍ଦଙ୍କୁ କିନ୍ତୁ ସାହାଯ୍ୟ କରୁଥିଲେ ଜନତା । ତାଙ୍କର ବିଜୟ ଏକପ୍ରକାର ଥୟ ଥିଲା କହିଲେ ଚଳେ । ନିର୍ବାଚନ ପ୍ରଚାର ପାଇଁ ପ୍ରୋସେସନ ଠାରୁ ଆରମ୍ଭ କରି ଗାଡ଼ିରେ ପତାକା ଲଗାଇବା ପର୍ଯ୍ୟନ୍ତ ସବୁ ଲୋକେ ହିଁ କରୁଥିଲେ । ସଦାସର୍ବଦା ଲୋକଙ୍କ ସୁଖଦୁଃଖରେ ଭାଗୀଦାର ହେଉଥିବା ମକରନ୍ଦଙ୍କୁ ବିନା ସର୍ତ୍ତରେ ବାଛିଛନ୍ତି ଜନତା ।

ମକରନ୍ଦଙ୍କ ପାଖରେ ଟଙ୍କା ନଥିଲା, ଆଉ ତାଙ୍କ ପାଇଁ ନିଜ ବୁଥରେ ପ୍ରଚାର କରୁଥିଲେ ଜନତା । ନିଜେ ଟଙ୍କା ଖର୍ଚ୍ଚ କରି ନିଜ ନିଜ ଗାଁରେ ପୋଷ୍ଟର ମାରୁଥିଲେ । ସାଙ୍ଗସାଥୀଙ୍କ ଠାରୁ ଆରମ୍ଭ କରି ନିର୍ବାଚନ ପ୍ରଚାର ସମସ୍ତେ ସହଯୋଗ କରିଥିଲେ । ଏପରିକି ନିଜ ପାଇଁ ପୋଷାକ କିଣିବା ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା । ସମସ୍ତ ନିର୍ବାଚନୀ ଖର୍ଚ୍ଚ ସାଙ୍ଗସାଥୀ, ସହପାଠୀ, ଶୁଭାକାଂକ୍ଷୀ ଯୋଗାଇଛନ୍ତି ନିଜେ ସ୍ୱୀକାର କରିଛନ୍ତି ମକରନ୍ଦ । ରାୟଗଡ଼ା ବାସୀ ଜଣେ ସ୍ୱଚ୍ଛ ନିର୍ମଳ ଲୋକଙ୍କୁ ବଧାନସଭାକୁ ପହଞ୍ଚାଇବା ପାଇଁ ଚାହୁଁଥିଲେ । ଯିଏ ସ୍ଥାନୀୟ ଅଂଳଳର ସୁବିଧା ଅସୁବିଧା ସହ ଲୋକଙ୍କ ହିତରେ କାମ କରିବ ।

ଓଡ଼ିଶାରେ ନବନିର୍ବାଚନ ବିଧାୟକ ମଧ୍ୟରେ ୬୫ ପ୍ରତିଶତ କୋଟିପତି । ହେଲେ କୋଟିପତି ହେଲେ ହିଁ ନିର୍ବାଚନରେ ବିଜୟୀ ହୋଇପାରିବ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ମକରନ୍ଦ । ଯେଉଁଠି ପ୍ରତିପକ୍ଷ ନେତା କୋଟି କୋଟି ଟଙ୍କା ଖର୍ଚ୍ଚ କରି ଲୋକଙ୍କ ହୃଦୟ ଜିତି ପାରି ନାହାନ୍ତି , ସେଇଠି ମକରନ୍ଦ ବାଜି ମାରିନେଇଛନ୍ତି । ତାଙ୍କ ବିପକ୍ଷରେ ଥିଲେ ଅନେକ ଧନୀ ନେତା । ଟଙ୍କା ବି ଜୋରସୋରରେ ବଂଟା ଚାଲିଥିଲା । ହେଲେ ଜନତା କିନ୍ତୁ କୋଟିପତି ନେତାଙ୍କୁ ପ୍ରତ୍ୟାଖାନ କରି ଜଣେ ସ୍ୱଚ୍ଛ ତଥା ସଚ୍ଚୋଟ ମଣିଷକୁ ବିଧାନସଭା ପଠାଇବାକୁ ମନସ୍ଥ କରିଥିଲେ । ଆଉ ତାଙ୍କୁ ଭୋଟ ଦେଇ ନିର୍ବାଚନ ରଣାଙ୍ଗନ ପାର ମଧ୍ୟ କରାଇଛନ୍ତି । ଜନତା ହିଁ ନେତାଙ୍କ ଭାଗ୍ୟବିଧାତା ବୋଲି ସ୍ପଷ୍ଟ ହୋଇଯାଇଛି । ଅଂଚଳର ସ୍ୱାଭିମାନ ପାଇଁ ତାଙ୍କୁ ସମର୍ଥନ କରିଛନ୍ତି ଲୋକେ ।