କନକ ବ୍ୟୁରୋ : ତେଲ ଅପମିଶ୍ରଣ ମାମଲାରେ ଜେଲରେ ଥିବା ବ୍ୟବସାୟୀ ଗୋପାଳ ଗୁପ୍ତାଙ୍କୁ ବଟି ମାଗିବା ଅଭିଯୋଗରେ ଚାଉଳିଆଗଞ୍ଜ ପୁଲିସ ଧଳ ସାମନ୍ତ ସହଯୋଗୀ ବିଡ଼ାନସୀ ଅଞ୍ଚଳର ଲିଟୁଆ ଓରଫ ଭାରତ ବେହେରାକୁ ଆଜି ଚୌଦ୍ୱାର ଜେଲରେ ମାରାଥନ୍ ଜେରା କରିଛି। ପୂର୍ବରୁ ସୂଚନା ନ ଦେଇ ଆଜି ଚାଉଳିଆଗଞ୍ଜ ପୁଲିସ ଜେଲ୍ରେ ଅତର୍କିତ ଚଢ଼ଉ କରି ମାରାଥନ ଜେରା କରିଛି। ଚଢ଼ଉ ସମୟରେ ଲିଟୁଆ ୱାର୍ଡରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି। ଜେଲ୍ କର୍ମଚାରୀଙ୍କ ସହଯୋଗରେ ଲିଟୁଆ ସେଠାରେ ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ପୁଲିସ ଦେଖିବାକୁ ପାଇଛି।
ଗତକାଲି ଅପରାହ୍ନ ପ୍ରାୟ ୨ଟା ବେଳେ ଏସିପି ଅମରେନ୍ଦ୍ର ପଣ୍ଡା, ଚାଉଳିଆଗଞ୍ଜ ଆଇଆଇସି ତାପସ ଚନ୍ଦ୍ର ପ୍ରଧାନଙ୍କ ସମେତ ୬ଜଣିଆ ଟିମ୍ ଚୌଦ୍ବାର ଜେଲରେ ପହଞ୍ଚି ଲିଟୁଆ ରହୁଥିବା ବ୍ଲକ ନମ୍ବର-୨ର ୱାର୍ଡ ନମ୍ବର-୧୬ରେ ଚଢ଼ଉ କରିଥିଲା । ଲିଟୁଆକୁ ଜେଲ କର୍ତ୍ତୃପକ୍ଷ ସବୁ ସୁବିଧା ସୁଯୋଗ ଯୋଗାଉଥିବା ପୁଲିସ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲା ।