କଂଗ୍ରେସକୁ ଝଟକା, କାମ କଲାନି ରାହୁଲଙ୍କ ରଣନୀତି : ପାରମ୍ପରିକ ଆସନ ଆମେଠିରେ ବି ଗଡ ବଜାୟ ରଖିପାରିଲେନି ଦଳର ଅଧ୍ୟକ୍ଷ

Advertisment
କଂଗ୍ରେସକୁ ଝଟକା, କାମ କଲାନି ରାହୁଲଙ୍କ ରଣନୀତି : ପାରମ୍ପରିକ ଆସନ ଆମେଠିରେ ବି ଗଡ ବଜାୟ ରଖିପାରିଲେନି ଦଳର ଅଧ୍ୟକ୍ଷ

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯୋଜନାକୁ ଗ୍ରହଣ କରିନାହାନ୍ତି ଦେଶବାସୀ । ପ୍ରତ୍ୟେକ ଗରିବ ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କା ଦେବାର ପ୍ରତିଶ୍ରୁତି ମଧ୍ୟ କଂଗ୍ରେସର ପରାଜୟକୁ ରୋକି ପାରିନାହିଁ । ମୋଦିଙ୍କ ସପକ୍ଷରେ ଜନାଦେଶର ଏପରି ଜୁଆର ଉଠିଛି, ଯେଉଁଥିରେ କଂଗ୍ରେସ ଧୋଇ ହୋଇଯାଇଛି । ଏପରିକି ଆମେଠି ଆସନକୁ ରକ୍ଷା କରିବାରେ ମଧ୍ୟ ସଫଳ ହୋଇ ପାରିପାରନ୍ତି କଂଗ୍ରେସ ଅଧ୍ୟକ୍ଷ ।

୨୦୧୯ ନିର୍ବାଚନର ପରିଣାମରେ ଯଦି କେଉଁ ଦଳକୁ ସବୁଠୁ ଅଧିକ ମର୍ମାହତ କରିଛି, ସେହି ଦଳ ହେଉଛି କଂଗ୍ରେସ । ରାହୁଲ ଗାନ୍ଧୀ ଦଳର ମଙ୍ଗ ଧରିବା ପରେ ଯେଉଁ ଉର୍ଜା ନେଇ କଂଗ୍ରେସ ଅଭିଯାନ ଆରମ୍ଭ କରିଥିଲା ଏବଂ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଯେଉଁ ସଫଳତା ମିଳିଥିଲା, ତାକୁ ଭିତ୍ତି କରି ଏହି ରାଷ୍ଟ୍ରୀୟ ଦଳ ୨୦୧୯ ନିର୍ବାଚନରେ ମୋଦିଙ୍କୁ ଚ୍ୟାଲେଂଜ୍ ଦେବାକୁ ଅଂଟା ଭିଡିଥିଲା । ହେଲେ ଜନାଦେଶରେ ଯେଉଁ ପରିଣାମ ଆସିଛି, ସେଥିରେ ଅଧିକ ପ୍ରଭାବିତ ହୋଇଛି କଂଗ୍ରେସ ।

ରାହୁଲ ଗାନ୍ଧୀଙ୍କ ଭିତରେ ଦେଶର ପ୍ରଧାନମନ୍ତ୍ରୀ ଦେଖୁଥିବା କଂଗ୍ରେସ ନେତାଙ୍କୁ ୨୦୧୯ ନିର୍ବାଚନ ଏକ ବଡ ଝଟକା ଦେଇଛି । ପରାଜୟକୁ କଂଗ୍ରେସ ଅଧ୍ୟକ୍ଷ ସ୍ୱୀକାର କରିବା ସହ ଜନତା ହିଁ ମାଲିକ୍ ବୋଲି କହିଛନ୍ତି ସତ, ହେଲେ ଏହି ପରାଜୟ ଯେ, ରାହୁଲଙ୍କ ରାଜନୈତିକ କ୍ୟାରିୟରକୁ ନେଇ ଏକ ବଡ ପ୍ରଶ୍ନ ସୃଷ୍ଟି କରିଛି ଏଥିରେ କୌଣସି ସନ୍ଦେହ ନାହିଁ ।

କଂଗ୍ରେସକୁ ସବୁଠାରୁ ବଡ ଝଟକା ଲାଗିଛି । ସ୍ଥିତି ଏମିତି ହୋଇଛି ଯେ, କଂଗ୍ରେସର ପାରମ୍ପରିକ ଆସନ କୁହାଯାଉଥିବା ଆମେଠି ଗଡ଼କୁ ବି ବଂଚାଇ ପାରିନାହାଁନ୍ତି ରାହୁଲ ଗାନ୍ଧୀ । ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ରାଏବରେଲିରେ ବିଜୟୀ ହୋଇନଥିଲେ, ହୁଏତ ଦେଶର ସବୁଠୁ ବଡ଼ ରାଜ୍ୟରେ ଖାତା ବି ଖୋଲି ପାରିନଥାନ୍ତା କଂଗ୍ରେସ ଦଳ ।

ଓଡ଼ିଶା, ବିହାର, ରାଜସ୍ଥାନ, ଗୁଜରାଟ, ଦିଲ୍ଲୀ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶରେ ଗୋଟିଏ ହେଲେ ଆସନ ଜିତିବାରେ ସମର୍ଥ ହୋଇ ନାହିଁ କଂଗ୍ରେସ । ୨୦୧୯ ନିର୍ବାଚନର ଫଳାଫଳ କଂଗ୍ରେସ ରାଜନୀତିକୁ ଏପରି ମୋଡରେ ଛିଡ଼ା କରିଛି, ଦଳକୁ ପୁଣିଥରେ ଅଂଟା ସଳଖିବାକୁ ଅନେକ ପରିଶ୍ରମ କରିବାକୁ ପଡ଼ିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe