ବିଜୟ ମାଲ୍ୟାଙ୍କ ବିସ୍ଫୋରକ ବୟାନ ପରେ ଟାର୍ଗେଟରେ କେନ୍ଦ୍ର ସରକାର : ରାହୁଲଙ୍କ ପ୍ରଶ୍ନ, ଜେଟଲୀ ନିଜେ ବିଜୟ ମାଲ୍ୟାଙ୍କୁ ବିଦା କରିଥିଲେ ନା ଉପରୁ ଆସିଥିଲା ନିର୍ଦ୍ଦେଶ ?

24

କନକ ବ୍ୟୁରୋ : ବିଜୟ ମାଲ୍ୟାଙ୍କ ବିସ୍ଫୋରକ ବୟାନ ପରେ ରାଜନୀତି ଜୋର ଧରିଛି । ବିଦେଶକୁ ଯିବା ପୂର୍ବରୁ ମାଲ୍ୟା ପାର୍ଲାମେଂଟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟିଥିବା ଖବର ପରେ କଂଗ୍ରେସକୁ ମିଳିଯାଇଛି ପ୍ରସଙ୍ଗ । ଆଜି ଏହି ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଛନ୍ତ କଂଗ୍ରେସ ସଭାପତି ରାହୁଲ ଗାନ୍ଧି । ରାହୁଲ ଗାନ୍ଧି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି , ମାଲ୍ୟାକୁ ଅରୁଣ ଜେଟଲୀ ଫେରାର କରିଥିଲେ ନା ଉପରୁ ନିର୍ଦ୍ଦେଶ ଆସିଥିଲା । ଅରୁଣ ଜେଟଲୀ-ମାଲ୍ୟାଙ୍କ ଭେଟ ସମ୍ପର୍କରେ ସାଂସଦ ପି.ଏଲ ପୁନିଆ ଗଣମାଧ୍ୟମ ଆଗରେ ସୁବିସ୍ତୁତ କଥା କହିଥିଲେ । ପୁନିଆ କହିଥିଲେ , ୧ ମାର୍ଚ, ୨୦୧୬ରେ ପାର୍ଲାମେଂଟରେକେନ୍ଦ୍ରୀୟ ହଲରେ ଉଭୟଙ୍କ ସାକ୍ଷାତ ହୋଇଥିଲା । ପୂର୍ବରୁ ଆଜି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟ କରି କହିଥିଲେ , ଜାଣିଶୁଣି ବିଜୟ ମାଲ୍ୟାଙ୍କ ବିରୋଧରେ ଥିବା ଲୁକଆଉଟ ନୋଟିସକୁ ଦୁର୍ବଳ କରାଯାଇଥିଲା ।

ସୂଚନାଯୋଗ୍ୟ ବିଜୟ ମାଲ୍ୟା ଗତକାଲି କହିଥିଲେ ଭାରତ ଛାଡ଼ିବା ପୂର୍ବରୁ ସେ ଅରୁଣ ଜେଟଲିଙ୍କୁ ସାକ୍ଷାତ କରିଥିଲେ । ଦେଶ ଛାଡିବା ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ଭେଟିଥିବା କହିଥିଲେ ବିଜୟ ମାଲ୍ୟା । ଲଣ୍ଡନ ସ୍ଥିତ ୱେଷ୍ଟମିନିଷ୍ଟର କୋର୍ଟରେ ହାଜର ହୋଇଥିବା ପଳାତକ ବିଜୟ ମାଲ୍ୟା କହିଥିଲେ ଯେ, ଦେଶ ଛାଡିବା ପୂର୍ବରୁ ସେଟଲମେଂଟ ପାଇଁ ସେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସହ ସାକ୍ଷାତ କରିଥିଲେ । ତେବେ ଏନେଇ ବ୍ୟାଙ୍କ ଗୁଡିକ ଆପତି ଜଣାଇବା ଯୋଗୁଁ ଏହି ସମସ୍ୟାର ସମାଧାନ ହୋଇପାରିନଥିଲା । ଦୁଇ ରାଜନୈତିକ ଦଳ ତାଙ୍କୁ ଫୁଟବଲ ପରି ବ୍ୟବହାର କରିଥିବା ସେ କହିଛନ୍ତି । ଏବଂ ଶେଷରେ ତାଙ୍କୁ ହିଁ ବଳି ପକାଇ ଦିଆଗଲା ବୋଲି ସେ ଗଣାମାଧ୍ୟମକୁ କହିଥିଲେ । ସେପଟେ ବିଜୟ ମାଲ୍ୟାଙ୍କୁ ସାକ୍ଷାତ କରିଥିବା କଥାକୁ ଖଣ୍ଡନ କରିଥିଲେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ସେ କେବେ ବି ବିଜୟ ମାଲ୍ୟାଙ୍କୁ ସାକ୍ଷାତ କରିନାହାନ୍ତି ବୋଲି ସ୍ପଷ୍ଟ ଭାବେ କରିଥିଲେ ।