ମୋଦିଙ୍କୁ ରାଜସ୍ଥାନରୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ : ପ୍ରଧାନମନ୍ତ୍ରୀଙ୍କୁ ଆକ୍ଷେପ କରି କହିଲେ, ଦେଶର ଚୌକିଦାର ଚୋର

37

କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗତକାଲି ଡୁଙ୍ଗରପୁରର ସଗୱାଡ଼ା ପହଞ୍ଚିଥିଲେ । ସେଠାରେ ରାହୁଲ ଗାନ୍ଧୀ ଗତକାଲି ରାଜସ୍ଥାନର ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି । ରାହୁଲ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଆପତ୍ତିଜନକ ଭାଷା ବ୍ୟବହାର କରିଛନ୍ତି । ସଗ୍ଓ୍ଵାଡ଼ାରେ ଅନୁଷ୍ଠିତ ରାଲିରେ ରାହୁଲ କହିଥିଲେ, ‘ଗଲି ଗଲି ମେ ସୋର୍ ହୈ, ଦେଶ୍ କା ଚୌକିଦାର ଚୋର୍ ହୈ ।’ ରାହୁଲ ଗାନ୍ଧୀ ବିଜୟ ମାଲ୍ୟାଙ୍କ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ଦେଶ୍ୟରେ ଏଭଳି ମନ୍ତବ୍ୟ ଦେଇଥିଲେ ।

image courtesy – english.manoramaonline.com

ସେ କହିଥିଲେ ଯେ ବିଜୟ ମାଲ୍ୟା ବ୍ୟାଙ୍କମାନଙ୍କର ୯ ହଜାର କୋଟି ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ଏବଂ ଯିବା ପୂର୍ବରୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ସହିତ ସାକ୍ଷାତ ଆଲୋଚନା ମଧ୍ୟ କରିଥିଲେ । ଜେଟଲି ମାଲ୍ୟାଙ୍କ ଲଣ୍ଡନ୍ ପଳାୟନ ସଂପର୍କରେ ସବୁକଥା ଜାଣିଥିଲେ ବୋଲି ରାହୁଲ କହିଛନ୍ତି । ଏହି ଅବସରରେ ରାହୁଲ ଗାନ୍ଧୀ ରାଜସ୍ଥାନର ବିଜେପି ନେତୃତ୍ୱାଧୀନ ବସୁନ୍ଧରା ରାଜେ ସରକାରଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଥିଲେ । ସରକାର ଦୁର୍ନୀତିରେ ବୁଡ଼ି ରହିଛନ୍ତି ଓ ଲୋକଙ୍କ ଟିକସ ଅର୍ଥରେ ସରକାର ରାଜନୈତିକ କାର‌୍ୟ୍ୟକ୍ରମ କରୁଛନ୍ତି ବୋଲି ରାହୁଲ କହିଥିଲେ ।