କନକ ବ୍ୟୁରୋ : ପରାଜୟ ପରେ ଇସ୍ତଫା ଜିଦିରେ ଅଡି ବସିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଶନିବାର କଂଗ୍ରେସ କାର୍ଯ୍ୟକାରୀ ବୈଠକରେ ରାହୁଲଙ୍କ ଇସ୍ତଫା ପ୍ରସ୍ତାବକୁ ଖାରଜ କରାଯିବା ପରେ ବି ରାହୁଲ ଇସ୍ତଫା ଦେବା ନେଇ ଚିନ୍ତା କରୁଛନ୍ତି । ଏପରିକି କଂଗ୍ରେସର ବରିଷ୍ଠ ନେତା କେସି ବେଣୁଗୋପାଳ ଏବଂ ଅହମ୍ମଦ ପଟେଲଙ୍କୁ ରାହୁଲ ଗାନ୍ଧି ଭେଟି ନୂଆ କଂଗ୍ରେସ ମୁଖ୍ୟ ଖୋଜିବାକୁ କହିଛନ୍ତି । ମିଳିଥିବା ସୂଚନା ଅନୁସାରେ ନିଜ ନିଷ୍ପତି ବଦଳାଇବାକୁ ରାହୁଲ ରୋକଠୋକ୍ ମନା କରିଦେଇଛନ୍ତି । ମାଆ ସୋନିଆ ଗାନ୍ଧି ଏବଂ ଭଉଣୀ ପ୍ରିୟଙ୍କା ଗାନ୍ଧି ମଧ୍ୟ ରାହୁଲଙ୍କ ନିଷ୍ପତିକୁ ସମର୍ଥନ କରୁଥିବା ଜଣାପଡିଛି ।

Advertisment

ଚଳିତ ନିର୍ବାଚନରେ କଂଗ୍ରେସ ୫୪୨ ଆସନରୁ ମାତ୍ର ୫୨ଟି ଆସନରେ ବିଜୟ ହାସଲ କରିଛି। ୧୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଦଳ ଖାତା ଖୋଲିପାରିନି। ଏପରିକି କଂଗ୍ରେସ ଶାସିତ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ମଧ୍ୟ ଦଳୀୟ ପ୍ରାର୍ଥୀମାନେ ଶୋଚନୀୟ ଭାବେ ପରାସ୍ତ ହୋଇଛନ୍ତି । ମଧ୍ୟପ୍ରଦେଶରେ ଗୋଟିଏ ବି ଆସନ ଜିତି ପାରିନି କଂଗ୍ରେସ  ।

ସୂଚନାଯୋଗ୍ୟ ଗତ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ରାହୁଲ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ବରିଷ୍ଠ ନେତା ପି. ଚିଦମ୍ବରମଙ୍କୁ ତୀବ୍ର ସମାଲୋଚନା କରିଥିଲେ । ସେମାନେ ନିଜ ପୁଅମାନଙ୍କ ପାଇଁ ଏତେ ବ୍ୟସ୍ତ ଥିଲେ ଯେ ଦଳ ପାଇଁ ପ୍ରଚାର ଲାଗି ସେମାନଙ୍କ ପାଖରେ ସମୟ ନଥିଲା । ରାହୁଲ ଏବେ ବି ଏତେ କ୍ଷୁବ୍ଧ ଅଛନ୍ତି ଯେ ସେ ନବନିର୍ବାଚିତ ଦଳୀୟ ସାଂସଦମାନଙ୍କୁ ଭେଟିବାକୁ ମନା କରିଦେଇଛନ୍ତି । ଏଭଳି ଏକ ପରିସ୍ଥିତିରେ ମଧ୍ୟ ପ୍ରଦେଶ, କର୍ଣ୍ଣାଟକ ଏବଂ ରାଜସ୍ଥାନ ସରକାର ଭାଗ୍ୟ ମଧ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି ।

କର୍ଣ୍ଣାଟକରେ ଏବେ କଂଗ୍ରେସ -ଜେଡିଏସ୍ ମେଣ୍ଟ ସରକାର ପ୍ରତି ବିପଦ ଦେଖାଦେଇଛି। ରାଜ୍ୟରେ କଂଗ୍ରେସ ଜେଡିଏସ୍ ମେଣ୍ଟର ପରାଜୟ ପରେ ସରକାର ଭାଙ୍ଗିଯିବ ବୋଲି ଚର୍ଚ୍ଚା ହେଉଛି । ଦୁଇଜଣ କଂଗ୍ରେସ ବିଧାୟକ ରମେଶ ଜାର୍କିହୋଲି ଏବଂ ଡ. ସୁଧାକର ବିଜେପି ନେତା ଏସଏମ୍ କ୍ରୀଷ୍ଣାଙ୍କୁ ତାଙ୍କ ବାସଭବନରେ ଭେଟିଥିବାରୁ ଏହା ମଧ୍ୟ କଂଗ୍ରେସର ଚିନ୍ତା ବଢ଼ାଇ ଦେଇଛି । ସେହିପରି ଅନେକ କଂଗ୍ରେସ ବିଧାୟକ ମଧ୍ୟ ଦଳର ପରାଜୟ ପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଭଳି ଏକ ପରିସ୍ଥିତିରେ କର୍ଣ୍ଣାଟକ ବିଜେପି ମୁଖ୍ୟ ବିଏସ୍ ୟଦ୍ୟୁରପ୍ପା କହିଛନ୍ତି, ରାଜ୍ୟ ବିଧାନସଭା ଭଙ୍ଗ କରାଯାଉ । ଅନ୍ୟପକ୍ଷରେ ଅସନ୍ତୁଷ୍ଟ ନେତାମାନଙ୍କୁ ସନ୍ତୁଷ୍ଟ କରିବାପାଇଁ ଖୁବ୍ ଶୀଘ୍ର କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ ବୋଲି କୁହାଯାଉଛି ।

ରାଜସ୍ଥାନରେ ମଧ୍ୟ କିଛି କଂଗ୍ରେସ ମନ୍ତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ରାଜସ୍ଥାନରେ କଂଗ୍ରେସ ଗୋଟିଏ ହେଲେ ଆସନ ଜିତି ପାରିନଥିବାରୁ ଏଥିପାଇଁ ଯିଏ ଦାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି । କର୍ଣ୍ଣାଟକରେ ୨୮ ଲୋକସଭା ଆସନରୁ କଂଗ୍ରେସ ମାତ୍ର ଗୋଟିଏ ଅକ୍ତିଆର କରିବାରେ ସଫଳ ହୋଇଥିବା ବେଳେ ରାଜସ୍ଥାନରେ ୨୫ଟି ମଧ୍ୟରୁ କୌଣସି ଗୋଟିଏ ମଧ୍ୟ ଆସନ ପାଇନାହିଁ । ମଧ୍ୟପ୍ରଦେଶରେ ମଧ୍ୟ ସମାନ ସ୍ଥିତି । ରାଜ୍ୟରେ ସରକାର ଭାଙ୍ଗିବା ପାଇଁ କେତେକ ଅସନ୍ତୁଷ୍ଟ ନେତା ଉଦ୍ୟମ ଚଳାଇଥିବା କୁହାଯାଉଛି ।

ଇତିମଧ୍ୟରେ ଖବର ମିଳିଛି ଯେ ରାହୁଲଙ୍କ ଉତ୍ତରାଧିକାରୀ ଚୟନ ଲାଗି ଆସନ୍ତା ତିନି ଚାରି ଦିନ ମଧ୍ୟରେ କଂଗ୍ରେସ କାର‌୍ୟ୍ୟକାରିଣୀ ବୈଠକ ବସିବ। ତେବେ ରାହୁଲଙ୍କ ସ୍ଥାନରେ ତାଙ୍କ ମାତା ସୋନିଆ ଗାନ୍ଧୀ କିମ୍ବା ଭଉଣୀ ପ୍ରିୟଙ୍କାଙ୍କୁ ଦାୟିତ୍ବ ମିଳିବ ନାହିଁ। କାରଣ ତାଙ୍କ ପରିବାରର କୌଣସି ସଭ୍ୟ ଏହି ଦାୟିତ୍ବ ନେବେ ନାହିଁ ବୋଲି ରାହୁଲ ସ୍ପଷ୍ଟ କରିଦେଇଛନ୍ତି।