‘ଶଙ୍ଖ’ ଛାଡ଼ିଲେ ରଘୁନାଥ ମହାନ୍ତି ! ବିଜେଡ଼ି ସୁପ୍ରିମୋଙ୍କୁ ପଠାଇଲେ ଇସ୍ତଫାପତ୍ର

426

କନକ ବ୍ୟୁରୋ : ବିଜେଡ଼ିରୁ ଇସ୍ତଫା ଦେଲେ ରଘୁନାଥ ମହାନ୍ତି । ପୁଣି ଜଣେ ଟାଣୁଆ ନେତା ଦଳ ଛାଡ଼ିଛନ୍ତି । ଦଳର ପ୍ରାଥମିକ ସଦସ୍ୟ ଓ ଉପ-ସଭାପତି ଦାୟିତ୍ୱରୁ ଇସ୍ତଫା ଦେଲେ ରଘୁନାଥ ମହାନ୍ତି । ବିଜେଡ଼ି ସୁପ୍ରିମୋଙ୍କୁ ଇସ୍ତଫା ପତ୍ର ପଠାଇଲେ ରଘୁନାଥ । ଇସ୍ତଫା ପତ୍ରରେ ବ୍ୟକ୍ତିଗତ କାରଣ ପାଇଁ ଦଳ ଛାଡୁଥିବା ଦର୍ଶାଇଛନ୍ତି । ଇସ୍ତଫା ଦେବା ପରେ କେଉଁ ଦଳରେ ଯୋଗଦେବେ ବୋଲି ନିଷ୍ପତ୍ତି ନେଇ ନାହାନ୍ତି । ବିଜେଡ଼ି ସହ ଦୀର୍ଘ ଦିନ କାମ କରିଛି । ବିଜେଡ଼ି ଆଜି ପଥ ଭ୍ରଷ୍ଟ ହୋଇଛି । ୨୦୧୯ରେ ନିର୍ବାଚନ ଲଢ଼ିବେ କି ନାହଁ କିଛି ସ୍ଥିର କରିନି ବୋଲି କହିଛନ୍ତି ରଘୁନାଥ ।

ରଘୁନାଥଙ୍କ ଇସ୍ତଫା ନେଇ ବିଭିନ୍ନ ଚର୍ଚ୍ଚା ଜୋର୍ ଧରିଛି । ଗତ ଥର ପାରିବାରିକ ବିବାଦରେ ଛନ୍ଦି ହୋଇ ମହାନ୍ତି ବିଜେଡି ଟିକେଟ୍ରୁ ବଞ୍ଚିତ ହୋଇଥିଲେ । ଏହା ମଧ୍ୟରେ ତାଙ୍କ ପାରିବାରିକ ବିବାଦ ସମାଧାନ ହୋଇଯାଇଛି । ତେଣୁ ଚଳିତ ଥର ପୁଣି ବସ୍ତା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହେବାକୁ ସେ ଆଗ୍ରହୀ ଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ବସ୍ତା ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରୁ ରଘୁନାଥ ଅଡ଼ୁଆରେ ପଡ଼ିଯାଇଥିଲେ । ଏହା ତାଙ୍କର ଇସ୍ତଫା ଦେବାର ପ୍ରମୁଖ କାରଣ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ ଗତକାଲି ରାଜ୍ୟ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ରଘୁନାଥ ମହାନ୍ତିଙ୍କ ଇସ୍ତଫା ଦେଇଥିଲେ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ ରଘୁନାଥ । ସେ ବାଲେଶ୍ୱର ଜିଲ୍ଳା ବସ୍ତା ନିର୍ବାଚନ ମଣ୍ଡଳୀରୁ ଲଗାତାର ଭାବେ ୧୯୯୦ ମସିହାରୁ ୨୦୦୯ ପର୍ଯ୍ୟନ୍ତ ବିଧାୟକ ରହି ଆସିଥିଲେ ।